ବିଶ୍ୱର ୨ନମ୍ବର ଧନୀ ହେଲେ ଗୌତମ ଆଦାନୀ, ୧ ନମ୍ବର ସ୍ଥାନରେ ଟେସଲା ସିଇଓ ଏଲନ ମସ୍କ

ମୁମ୍ବାଇ ୧୬।୯: ଗୌତମ ଆଦାନୀ ପାଲଟିଛନ୍ତି ବିଶ୍ୱର ଦ୍ୱିତୀୟ ଧନିକ। ଏବେ ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଫୋର୍ବସ୍ ରିୟଲଟାଇମ ବିଲେନିୟର ଇଣ୍ଡେକ୍ସରେ ବର୍ଣ୍ଣାର୍ଡ ଅର୍ଣ୍ଣଲଟଙ୍କୁ ପଛରେ ପକାଇ ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ସ୍ଥାନ ହାସଲ କରିଛନ୍ତି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ ଆଦାନୀ ଏବେ ବି ତୃତୀୟ ସ୍ଥାନରେ ଅଛନ୍ତି।

ଫୋର୍ବସ୍ ରିୟଲଟାଇମ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଆଦାନୀଙ୍କ ସମ୍ପତ୍ତିରେ ମୋଟ ୫.୫ ବିଲିୟନ ଡଲାରର ବୃଦ୍ଧି ହୋଇ ସାରିଥିଲା। ଏବେ ସେ ୧୫୫.୭ ବିଲିୟନ ଡଲାର ସହ ବିଶ୍ୱର ୨ ନମ୍ବର ବିଲେନିୟର ପାଲଟିଛନ୍ତି। ତାଙ୍କ ଉପରେ ଅର୍ଥାତ ୧ ନମ୍ବର ସ୍ଥାନରେ ଏବେବି ଟେସଲା ସିଇଓ ଏଲନ ମସ୍କ ଅଛନ୍ତି, ଯାହାଙ୍କର ମୋଟ ନେଟୱର୍ଥ ୨୭୩.୫ ବିଲିୟନ ଡଲାର ରହିଛି। ଆଦାନୀଙ୍କ ପରେ ତୃତୀୟ ସ୍ଥାନରେ ୧୫୫.୨ ବିଲିୟନ ଡଲାର ନେଟୱର୍ଥ ସହ ବର୍ଣ୍ଣାର୍ଡ ଅର୍ଣ୍ଣଲଟ ଅଛନ୍ତି।

ଏଥିରେ ମୁକେଶ ଅମ୍ବାନୀ ୯୨.୬ ବିଲିୟନ ଡଲାର ନେଟୱର୍ଥ ସହ ବିଶ୍ୱର ଧନିକଙ୍କ ସୂଚୀର ଅଷ୍ଟମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। ଆଦାନୀଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ଆଦାନୀ ଗ୍ରୁପଙ୍କ ନିକଟରେ ଥିବା ସାର୍ବଜନିକ ଭାଗିଦାରୀରୁ ଆସୁଛି। ମାର୍ଚ୍ଚ ୨୦୨୨ ଷ୍ଟକ ଏକ୍ସଚେଞ୍ଜ ଫାଇଲିଂ ଅନୁସାରେ ଆଦାନୀ ଏଣ୍ଟର ପ୍ରାଇଜର୍ସ, ଆଦାନୀ ପାୱାର ଓ ଆଦାନୀ ଟ୍ରାନ୍ସମିସନରେ ତାଙ୍କର ୭୫ ପ୍ରତିଶତ ଅଂଶୀଦାରୀ ରହିଛି।

ଆଦାନୀ ଟୋଟାଲ ଗ୍ୟାସର ପ୍ରାୟ ୩୭ ପ୍ରତିଶତ, ଆଦାନୀ ପୋର୍ଟସ୍ ଓ ଏସଇଜେଡ୍ର ୬୫ ପ୍ରତିଶତ ଓ ଆଦାନୀ ଗ୍ରୀନ ଏନର୍ଜୀର ୬୧ ପ୍ରତିଶତର ମାଲିକ ହେଉଛନ୍ତି ଗୌତମ ଆଦାନୀ। ଏହି ସମସ୍ତ କମ୍ପାନୀ ସାର୍ବଜନିକ ଭାବେ କାରବାର କରୁଛନ୍ତି ଓ ସବୁ କମ୍ପାନୀ ଅହମ୍ମଦାବାଦରେ ଅଛନ୍ତି।

Related Articles

Back to top button