ତଳ ମୁହାଁ ବ୍ରିଟେନ ଅର୍ଥନୀତି: ଇସ୍ତଫା ଦେଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ

ଲଣ୍ଡନ:  ଲିଜ ଟ୍ରସ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହି ଚର୍ଚା ଏବେ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଥିବାରୁ ବ୍ରିଟେନବାସୀ ଏବେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ନେତୃତ୍ବ ସଂକଟ ନେଇ ସାଂସଦମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ଦେଶର ଆର୍ଥିକ ଅବସ୍ଥା ଦିନକୁ ଦିନ ତଳକୁ ତଳ ଯାଉଥିବାରୁ ଟ୍ରସ ଏବେ ଚିନ୍ତାରେ ଅଛନ୍ତି । କୁହାଯାଉଛି କିଛି ଦିନ ଭିତରେ ଟ୍ରସ ଇସ୍ତଫା ଦେବାନେଇ ତାଙ୍କ ସମର୍ଥକ ସାଂସଦଙ୍କ ସହ ଆଲୋଚନା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଗାଦିରେ ବସିବାର ୫ ସପ୍ତାହ ପୂରଣ ହେବା ପରେ ଏବେ ସେ ନେଇଥିବା କିଛି ନିଷ୍ପତ୍ତି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପ୍ରଥମ ବଜେଟ୍ କୁ ନେଇ ତାଙ୍କ ନିଷ୍ପତ୍ତି କୁ ବିରୋଧୀ ମାନେ ସମାଲୋଚନା କରିଥିବା ବେଳେ ନିଜ ଦଳର ସାଂସଦମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୟାକ୍ସ କମାଇବା କଥା କହି ସେ ନିଜ ଦଳରୁ ସମର୍ଥନ ପାଇଥିଲେ ତାହା ସେ ପୂରଣ କରିପାରିନାହାଁନ୍ତି । ଆର୍ଥୀକ ନୀତି ପାଇଁ  ଟ୍ରସ୍ ଅର୍ଥମନ୍ତ୍ରୀ କ୍ବାସି କ୍ବାର୍ଟଙ୍ଗକୁ ପଦଚ୍ୟୁତ କରିବାକୁ ବାଧ୍ୟ ହେବା ପରେ ତାଙ୍କ ଉପରେ ଦେଶବାସୀ ଆଲୋଚନା ଆରମ୍ଭ କରିଛନ୍ତି । ବିରୋଧୀମାନେ ମଧ୍ୟ ତାଙ୍କୁ ଦୁର୍ବଳ ଅର୍ଥନୀତି ପାଇଁ ଟାର୍ଗେଟ କରୁଛନ୍ତି ।

ତାଙ୍କ ଲୋକପ୍ରିୟତା ମଧ୍ୟ କମିବାରେ ଲାଗିଛି । କନଜରଭେଟିଭ ଦଳପାଇଁ କ୍ଷତି ହେବା ଆଗରୁ ତାଙ୍କୁ ପଦରୁ ଇସ୍ତଫା ଦେବା ପାଇଁ ସାଂସଦମାନେ ପରାମର୍ଶ ଦେଇଛନ୍ତି । ଆଉ ଦେଢ଼ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଟ୍ରସ ମଧ୍ୟ ନିଜ ଦଳ କନଜରଭେଟିକୁ କ୍ଷତି ପହଁଚାଇବା ପାଇଁ ଚାହୁଁନାହାଁନ୍ତି । ନିଜ  ନିଷ୍ପତ୍ତି ପାଇଁ  ତାଙ୍କୁ ନିଜ ଦଳରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି।

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କର୍ପୋରେସନ ଟିକସ ଉପରେ ହୋଇଥିବା ୬ ପ୍ରତିଶତ ବୃଦ୍ଧିକୁ ସେ ପ୍ରତ୍ୟାହାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନର ଅର୍ଥନୀତିକୁ ଦେଖି ତାହା ସେ କରିପାରିନାହାଁନ୍ତି । କେବଳ ଭୋଟ ପାଇବା ଓ ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ବୋଲି ବ୍ରିଟେନରେ ଚର୍ଚା ହେଉଛି ।

Related Articles

Back to top button