ଦେଶର ପ୍ରଥମ ପଞ୍ଚତାରକା ହୋଟେଲର ଘରୋଇକରଣ ଲାଗି ଚାଲିଛି ସରକାରୀ ସ୍ତରରେ ପ୍ରସ୍ତୁତି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ପ୍ରଥମ ସରକାରୀ ପଞ୍ଚତାରକା ‘ଅଶୋକ ହୋଟେଲ’କୁ ଘରୋଇ ହାତକୁ ଟେକି ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିଲାଗି ପ୍ରସ୍ତୁତ ପ୍ରସ୍ତାବରେ ସରକାର ଏହି ହୋଟେଲକୁ ୬୦ ବର୍ଷ ଲାଗି ଅପରେଟ, ମେଣ୍ଟେନ ଡେଭଲପ (ଓଏମଡି) ମଡେଲ ଭାବେ ପଟ୍ଟାରେ ପ୍ରଦାନ କରିବେ। ଏହା ସହ ହୋଟେଲର ଅତିରିକ୍ତ ୬.୩ ଏକର ଜମିକୁ ବ୍ୟବସାୟୀକ ଉଦ୍ଦେଶ୍ୟ ଲାଗି ବିକ୍ରି କରାଯିବ।

ଏକ ରିପୋର୍ଟ ଅନୁସାରେ ଭାରତରେ ୟୁନେସ୍କୋ ସମ୍ମିଳନୀ ଲାଗି ୧୯୬୦ ଦଶକରେ ଏହି ହୋଟେଲକୁ ନିର୍ମାଣ କରାଯାଇଥିଲା। ସେତେବେଳେ ଏହାର ନିର୍ମାଣ ଲାଗି ୩ କୋଟି ଟଙ୍କା ବ୍ୟୟ ହୋଇଥିଲା। ୧୧ ଏକର ଜମି ଉପରେ ବ୍ୟାପ୍ତ ଅଶୋକ ହୋଟେଲ ଦେଶର ପ୍ରଥମ ପାଞ୍ଚତାରକା ହୋଟେଲ ଥିଲା। ଏଥିରେ ୫୫୦ଟି ରୁମ ଥିବା ବେଳେ ପ୍ରାୟ ୨ଲକ୍ଷ ବର୍ଗଫୁଟର ରିଟେଲ ଓ ଅଫିସ ସ୍ପେସ୍ ଅଛି। ଏହା ଛଡା ୩୦ ହଜାର ବର୍ଗଫୁଟର ବାଙ୍କ୍ୱେଟ୍ ଓ କନଫରେନ୍ସ ଫ୍ୟାସେଲିଟିଜ ରହିଛି। ଏହା ବାଦେ ୨୫ ହଜାର ବର୍ଗ ଫୁଟର ୮ଟି ରେଷ୍ଟୁରାଣ୍ଟ ମଧ୍ୟ ରହିଛି।

ଅଶୋକ ହୋଟେଲର ମାଲିକାନା ହକ୍ ଆଇଟିଡିସିଙ୍କ ହାତରେ ରହିଛି। ସରକାରଙ୍କ ପ୍ରପୋଜାଲ ଅନୁସାରେ ଘରୋଇ ଅଂଶୀଦାର ଏହି ହୋଟେଲକୁ ନୂଆ କରି ବିକାଶିତ କରିବେ। କୁହାଯାଉଛି ଏହାକୁ ବିଶ୍ୱର ଏକ ଜଣାଶୁଣା ହେରିଟେଜ ହୋଟେଲ ରୂପେ ବିକଶିତ କରାଯିବ। ନୂଆକରି ବିକାଶ ନିମନ୍ତେ ପ୍ରାୟ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଛଡା ହୋଟେଲକୁ ଲାଗି ରହିଥିବା ଅତିରିକ୍ତ ୬.୩ ଏକର ଜମିରେ ୬୦୦ରୁ ୭୦୦ଟି ପ୍ରିମିୟମ ସର୍ଭିସ ଆପାର୍ଟମେଣ୍ଟ ନିର୍ମାଣ କରାଯିବ।

୧୯୫୫ ମସିହାରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୟୁନେସ୍କୋର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଗସ୍ତ କରିଥିଲେ। ନେହେରୁ ସେଠାରେ ୟୁନେସ୍କୋର ଆଗାମୀ ସମ୍ମିଳନୀ ଭାରତରେ କରିବାକୁ ନିମନ୍ତ୍ରଣ ଦେଇଥିଲେ। ତେବେ ଏପରି କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ସେତେବେଳେ ରାଜଧାନୀ ଦିଲ୍ଲୀରେ ବିଶ୍ୱସ୍ତରୀୟ ହୋଟେଲ ନଥିଲା। ଏଣୁ ସରକାର ଏକ ପଞ୍ଚତାରକା ହୋଟେଲ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ।

ହୋଟେଲ ନିର୍ମାଣ ପରେ ଏହାର ନାମକରଣ ‘ଦି ଅଶୋକା’ ରଖା ଯାଇଥିଲା। ମୁମ୍ବାଇର ସ୍ଥପତି ବିଇ ଡକ୍ଟର ଏହାର ଡିଜାଇନ ଓ ନିର୍ମାଣ କରିଥିଲେ। ଏହି ହୋଟେଲରେ ମହାରାଣୀ ଏଲିଜାବେଥ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର, ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ଚେ ଗୁଏଭାରା ଓ ଫିଡେଲ କାଷ୍ଟ୍ରୋଙ୍କ ଭଳି ରାଷ୍ଟ୍ରନେତାମାନେ ଆତିଥେୟତା ଗ୍ରହଣ କରିଛନ୍ତି।

Related Articles

Back to top button