ଧ୍ରୁବ ରାଠୀଙ୍କ ଭିଡିଓ ସମେତ ୪୫ ୟୁଟ୍ୟୁବ୍ ଭିଡିଓ ବ୍ଲକ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ସଦ୍ଭାବନା ବିଗାଡ଼ିବା ଅଭିଯୋଗରେ ୪୫ ୟୁଟ୍ୟୁବ ଭିଡିଓକୁ ବ୍ୟାନ୍ କଲେ କେନ୍ଦ୍ର ସରକାର। ୧୦ ୟୁଟ୍ୟୁବ ଚ୍ୟାନେଲ୍ରେ ୪୫ ଭିଡିଓକୁ ବ୍ଲକ୍ କରିବାକୁ ସୋସାଲ୍ ମିଡିଆ ପ୍ଲାଟ୍ଫର୍ମ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବ୍ଲକ୍ କରାଯାଇଥିବା ଭିଡିଓଗୁଡ଼ିକର ମୋ ଭିୟ ୧ କୋଟି ୩୦ ଲକ୍ଷ ଥିଲା। ବ୍ଲକ୍ କରାଯାଇଥିବା ଭିଡିଓଗୁଡ଼ିକ ମଧ୍ୟରୁ ଧ୍ରୁବ୍ ରାଠୀଙ୍କର ଭିଡିଓ ମଧ୍ୟ ରହିଛି। ସେପ୍ଟେମ୍ବର ୨୩ ତାରିଖରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିର୍ଦ୍ଦେଶ ଦେଇଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
ଭିଡିଓ ବ୍ୟାନ୍ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ” ଦେଶ ବିରୋଧରେ ବିଷଉଦ୍ଗାର କରି ଭ୍ରମାତ୍ମକ ସୂଚନା ଦେଇ ମିତ୍ର ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ୧୦ ଭିଡିଓକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ୟାନ୍ ଓ ନିଲମ୍ବିତ କରିଛି। ଆଇଟି ନିୟମ ୨୦୨୧(ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଦର୍ଶ ଆଚାରଣ ବିଧି) ଅନୁସାରେ, ଭିଡିଓ ବ୍ଲକ୍ କରିବାକୁ ୨୩.୦୯.୨୦୨୨ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା” ବୋଲି ମନ୍ତ୍ରାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି।