ନିର୍ବାଚନ ପୂର୍ବରୁ ଗୁଜରାଟ ଗସ୍ତରେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନ

ଅହମ୍ମଦାବାଦ ୧୦।୯: ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଶନିବାର ଗୁଜରାଟ ଗସ୍ତରେ ଆସିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଏଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଏକ ଖାସ ଘୋଷଣା କରିବା ଲାଗି ଅଜୟ ଦେବଗନଙ୍କୁ ଆମନ୍ତ୍ରୀତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଜୟ ଦେବଗନଙ୍କ ଉପସ୍ଥିତିରେ ଅହମ୍ମଦାବାଦରେ ସିନେମାଟିକ୍ ପର୍ଯ୍ୟଟନ ନୀତି ୨୦୨୨-୨୭ର ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ପର୍ଯ୍ୟଟନମନ୍ତ୍ରୀ ପରନେଶ ମୋଦି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ରୈୟାନୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଅଜୟ ଦେବଗନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଛନ୍ତି।

ରାଜ୍ୟ ପର୍ଯ୍ୟଟନ ବିଭାଗ ନିକଟରେ ସିନେମାଟିକ୍ ପର୍ଯ୍ୟଟନ ନୀତି ପ୍ରସ୍ତୁତ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଜରାଟ ଫିଲ୍ମ ଉଦ୍ୟୋଗକୁ ଏକ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରିବା। ଫିଲ୍ମ ଓ ପର୍ଯ୍ୟଟନ ଉଦ୍ୟୋଗ ସହ ଜଡିତ ଲୋକଙ୍କ ପରାମର୍ଶରେ ଏହି ନୀତି ପ୍ରସ୍ତୁତ କରାଯାଇଛି। ଏହି ନୀତି ଅନୁସାରେ ରାଜ୍ୟରେ ଫିଲ୍ମ ଓ ଟେଲିଭିଜନ ସୁଟିଂ ଲାଗି ପରିବେଶ ଭିତ୍ତିଭୂମି ନିର୍ମାଣ କରାଯିବ।

ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ପର୍ଯ୍ୟଟନକୁ ଉଦ୍ୟୋଗର ମାନ୍ୟତା ଦେଇ୨୦୧୫ ମସିହାରେ ପ୍ରଥମ ଥର ପର୍ଯ୍ୟଟନ ନୀତି ପ୍ରସ୍ତୁତ କରିଥିଲା। ଏହା ପରେ ସରକାର ହୋମ ଷ୍ଟେ ପଲିସି ଓ ହେରିଟେଜ୍ ପଲିସି ପ୍ରସ୍ତୁତ କରିଥିଲେ। ଗୁଜରାଟ ସରକାରଙ୍କ କହିବା କଥା ହେଲା ଗୁଜରାଟରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠି ଫିଲ୍ମ ସୁଟିଂ କରାଯାଇପାରିବ। ସରକାର ଏହି ନୀତିକୁ ଏପରି ପ୍ରସ୍ତୁତ କରିଛନ୍ତି ଯେପରି ଫିଲ୍ମ ନିର୍ମାତା ଗୁଜରାଟକୁ ମୁହାଁଇବେ ଓ ରାଜ୍ୟ ଏଥି ଲାଗି ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ବିକଶିତ ହେବ।

କେବେ କେବଳ ଗୁଜରାଟ ନୁହେଁ ବିଜେପି ଶାସିତ ଉତ୍ତରପ୍ରଦେଶ ମଧ୍ୟ  ଫିଲ୍ମ ନିର୍ମାଣ ଉଦ୍ୟୋଗକୁ ନିଜ ଆଡକୁ ଆକର୍ଷିତ କରିବା ଯୋଜନାରେ ରହିଛି। ୟୁପିର ଯୋଗୀ ସରକାର ରାଜ୍ୟରେ ଫିଲ୍ମ ସିଟି ନିର୍ମାଣ ଲାଗି ପରିକଳ୍ପନା କରିଛନ୍ତି। ଏଥିରେ ଏବେ ଗୁଜରାଟ ମଧ୍ୟ ନିଜର ଦାବି ମଜଭୁତ କରିଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଫିଲ୍ମର ଅଧିକାଂଶ ବ୍ୟବସାୟ ଆର୍ଥିକ ରାଜଧାନୀ ମୁମ୍ବାଇରେ କେନ୍ଦ୍ରିତ ରହିଛି।

Related Articles

Back to top button