ଶ୍ରଦ୍ଧା-ଆଫ୍‌ତାବ୍‌ ଝଗଡ଼ାର ଅଡିଓ କ୍ଲିପରେ ଥିବା କଣ୍ଠସ୍ୱର ପରୀକ୍ଷା ହେବ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ନୂଆ ପ୍ରମାଣ ଭାବେ ଗୋଟାଏ ଅଡିଓ କ୍ଲିପ୍‌ ପାଇଛି। ଏଥିରେ ହତ୍ୟା ଅଭିଯୁକ୍ତ ଆଫ୍‌ତାବ୍‌ ପୂନାୱାଲା ଶ୍ରଦ୍ଧାଙ୍କ ସହିତ ଝଗଡ଼ା କରୁଥିବା ଶୁଣାଯାଉଛି।

ଏହି ଅଡିଓ କ୍ଲିପ୍‌ ଉକ୍ତ ବୀଭତ୍ସ ହତ୍ୟାକାଣ୍ଡର କାରଣ ଦର୍ଶାଇବାରେ ଖୁବ୍‌ ସହାୟକ ହେବ ବୋଲି ପୁଲିସ ବିଚାର କରୁଛି। ଦିଲ୍ଲୀ ଅଦାଲତଙ୍କ ଆଦେଶ ପରେ ‘ସିବିଆଇ’ର ଫୋରେନ୍‌ସିକ୍‌ ଟିମ୍‌ ଆଜି ଆଫ୍‌ତାବ୍‌ଙ୍କ କଣ୍ଠସ୍ବରର ନମୁନା ସଂଗ୍ରହ କରିବ। ଏହାପରେ ତଦନ୍ତକାରୀ କର୍ତ୍ତୃପକ୍ଷ ଉକ୍ତ କଣ୍ଠସ୍ବର ନମୁନାକୁ ସଂଗୃହୀତ ଅଡିଓ କ୍ଲିପ୍‌ ସହିତ ମେଳାଇବା ପରେ ମାମଲା ସଂକ୍ରାନ୍ତରେ କିଛି ନୂଆ ସୁରାକ୍ ପାଇବ। ନଭେମ୍ବର ୨୬ରୁ ବିଚାର ବିଭାଗୀୟ ହାଜତରେ ଥିବା ଆଫ୍‌ତାବ୍‌ଙ୍କ ରହଣିକୁ ଶୁକ୍ରବାର ଦିନ ଅଦାଲତ ଆହୁରି ୧୪ ଦିନକୁ ବୃଦ୍ଧି କରିଛନ୍ତି।

ଏହି ଆଦେଶ ବିରୋଧରେ ଆଫ୍‌ତାବ୍‌ଙ୍କ ଓକିଲଙ୍କ ଯୁକ୍ତି ସତ୍ତ୍ବେ ଅଦାଲତ କହିଛନ୍ତି ଯେ, କେବଳ ‘ନାର୍କୋ ଆନାଲିସିସ୍‌’, ‘ବ୍ରେନ୍‌ ମ୍ୟାପିଙ୍ଗ୍‌’ ଏବଂ ‘ପଲିଗ୍ରାଫି’ ପାଇଁ ଅଭିଯୁକ୍ତଙ୍କ ସମ୍ମତି ଆବଶ୍ୟକ।

ମେଟ୍ରୋ ପିଲିଟାନ୍‌ ମାଜିଷ୍ଟ୍ରେଟ୍‌ ବିଜୟଶ୍ରୀ ରାଠୋର୍‌ କହିଛନ୍ତି, ଏ କଥା ସତ ଯେ, ନିରପେକ୍ଷ ବିଚାର ଜଣେ ଅଭିଯୁକ୍ତର ଅଧିକାର। ସେହିପରି, ସର୍ବସାଧାରଣଙ୍କ ସ୍ବାର୍ଥ ନିମନ୍ତେ ନିରପେକ୍ଷ ତଦନ୍ତ ମଧ୍ୟ ଆବଶ୍ୟକ। ଅଭିଯୁକ୍ତ ତଦନ୍ତରେ ସହଯୋଗ କରୁ ନ ଥିବା କାରଣରୁ ଅପରାଧ ଓ ଅପରାଧୀକୁ ଛାଡ଼ି ଦିଆଯାଇ ପାରିବ ନାହିଁ। ତେଣୁ, କଣ୍ଠସ୍ବର ନମୁନା ପରୀକ୍ଷା ନିମନ୍ତେ ଅନୁମତି ପାଇବାକୁ ତଦନ୍ତକାରୀ ଅଧିକାରୀ ଆଗତ କରିଥିବା ଆବେଦନକୁ ମଞ୍ଜୁର କରାଗଲା। ଦିଲ୍ଲୀସ୍ଥିତ ‘ସିବିଆଇ’ର ‘ସେଣ୍ଟ୍ରାଲ୍‌ ଫୋରେନ୍‌ସିକ୍ ସାଇନ୍‌ସ୍‌ ଲାବ୍ରଟରି’ରେ (ସିଏଫ୍‌ଏସ୍‌ଏଲ୍‌) ଆଫ୍‌ତାବ୍‌ଙ୍କ କଣ୍ଠସ୍ବର ନମୁନାର ପରକ୍ଷା କରାଯିବ।

Related Articles

Back to top button