ପୂର୍ବ ଲଦାଖରେ ନୂଆ ଏୟାରଫିଲ୍ଡ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ଲଦାଖରେ ଚୀନକୁ ମାତ ଦେବା ପାଇଁ ଭାରତ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ନିକଟରେ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ପୂର୍ବ ଲଦାଖ ନିକଟବର୍ତ୍ତୀ ଅଞ୍ଚଳରେ ଚୀନ ଭିତ୍ତିଭୂମି ନିର୍ମାଣ କରୁଛି । ଏବେ ଚୀନକୁ କାଉଣ୍ଟର କରିବା ପାଇଁ ଭାରତ ଖୁବଶୀଘ୍ର ନ୍ୟୋମାରେ ଏକ ଏୟାରଫିଲ୍ଡ ନିର୍ମାଣ ଆରମ୍ଭ କରିବ । ରଣନୈତିକ ଦୃଷ୍ଟିରୁ ନ୍ୟୋମା ପୂର୍ବ ଲଦାଖର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅଟେ ।

ଭାରତୀୟ ସେନାର ଅଧିକାରୀ ଗୁରୁବାର କହିଛନ୍ତି, ଭାରତ ଖୁବଶୀଘ୍ର ଏଲଏସିଠାରୁ ୫୦ କିଲୋମିଟରରୁ କମ ଦୂରତା ମଧ୍ୟରେ ଯୁଦ୍ଧ ବିମାନ ପରିଚାଳନା ପାଇଁ ନିଜର ନ୍ୟୋମା ଆଡଭାନ୍ସଡ୍ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ବିକଶିତ କରିବା କାର୍ଯ୍ୟ ଆରମ୍ଭ କରିବ । ଚୀନ ସହ ଜାରି ଗତିରୋଧ ସମୟରେ ନ୍ୟୋମା ଏୟାରଫିଲ୍ଡ ଜରିଆରେ ଯବାନ ଏବଂ ସାମଗ୍ରୀ ପରିବହନ କରାଯାଇଥିଲା। ଏହି ଏୟାରଫିଲ୍ଡରେ ଚିନୁକ ହେଭି-ଲିଫ୍ଟ ହେଲିକଫ୍ଟର ଏବଂ ସି-୧୩୦ ଜି ପରି ସ୍ପେଶାଲ ଅପରେସନ ବିମାନର ଅବତରଣ କରାଯାଇଛି ।

ଏହି ଅଞ୍ଚଳରୁ ଯୁଦ୍ଧ ବିମାନ ପରିଚାଳନାର କ୍ଷମତା ଶତ୍ରୁଙ୍କୁ ମାତ ଦେବାରେ ବାୟୁସେନା ପାଇଁ ସହାୟକ ହେବ । ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ମୋଦୀ ସରକାରଙ୍କ ଦ୍ୱାରା ମଞ୍ଜୁରୀ ମଳିବା ପରେ ପୂର୍ବ ଲଦାଖ ସେକ୍ଟରେ ନିର୍ମାଣ କାର୍ଯ୍ୟାର ଉଦଘାଟନ ଖୁବଶୀଘ୍ର ହେବାର ଆଶା କରାଯାଉଛି।

ପୂର୍ବ ଲଦାଖରେ ଦୋଲତ ବେଗ ଓଲଡି (ଢିପିଓ), ଫୁକଚେ ଏବଂ ନ୍ୟୋମା ସହ ଅନେକ ଏୟାରଫିଲ୍ଡ ବିକଶିତ କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି । ଏହି ଅଞ୍ଚଳରୁ ଚୀନ ସହ ଲାଗିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା କିଛି ମିନିଟର ଦୂରତାରେ ରହିଛି ।

Related Articles

Back to top button