ଜି୨୦ର ଅଧ୍ୟକ୍ଷତା କରିବ ଭାରତ: ୨୦୦ରୁ ଅଧିକ ବୈଠକ ହେବ

ନୂଆଦିଲ୍ଲୀ : ଭାରତ ଚଳିତ ବର୍ଷ ଶେଷରେ ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ । ଡିସେମ୍ବର ୨୦୨୨ରୁ ନଭେମ୍ବର ୨୦୨୩ ଯାଏଁ ସାରା ଦେଶରେ ଭାରତର ଅଧ୍ୟକ୍ଷତାରେ ଜି୨୦ର  ୨୦୦ରୁ ଅଧିକ ବୈଠକ ହେବ । ବୈଦେଶିକ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । କାରଣ ଆସନ୍ତା ଡିସେମ୍ବରରୁ ଦେଶକୁ ଜି୨୦ର ଅଧ୍ୟକ୍ଷତା ମିଳିଯିବ ।

ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ, ବିଭିନ୍ନ ରାଷ୍ଟ୍ରମୁଖ୍ୟ ଜି୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ୨୦୨୩ ସେପ୍ଟେମ୍ବର ୯ ଓ ୧୦ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏହାକୁ ନୂଆଦିଲ୍ଲୀରେ ଆୟୋଜନ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଜି୨୦ ହେଉଛି ବିକଶିତ ଓ ବିକାଶଶୀଳ ଦେଶର ଏକ ସଙ୍ଗଠନ । ଏହାର ସଦସ୍ୟ ରାଷ୍ଟ୍ର ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ଋଷ, ସାଉଦି ଆବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ୟୁକେ, ଆମେରିକା ଓ ୟୁରୋପୀୟ ସଙ୍ଘ । ଅର୍ଥାତ ୧୯ ଦେଶ ଓ ୟୁରୋପୀୟ ସଙ୍ଘ ମିଶି ଜି୨୦ର ୨୦ ସଦସ୍ୟ ରହିଛନ୍ତି । ଜି୨୦ ବିଶ୍ୱର ୮୫ ପ୍ରତିଶତ ଜିଡିପି ଓ ଅନ୍ତରାଷ୍ଟ୍ରୀୟ ବ୍ୟାପାରର ଦୁଇ ତୃତୀୟାଂଶ ବହନ କରିଥାଏ ।

ଭାରତ ଏବେ ଜି୨୦ ତ୍ରୋଇକାର ସଦସ୍ୟ ରହିଛି । ଏଥିରେ ଭାରତ ସହ ଇଣ୍ଡୋନେସିଆ ଓ ଇଟାଲୀ ମଧ୍ୟ ରହିଛନ୍ତି । ଗତବର୍ଷ ଇଟାଲୀ ଏହାର ଅଧ୍ୟକ୍ଷ ଥିଲା । ଏହା ପ୍ରଥମ ଥର ହେବ ଯେତେବେଳେ ଟ୍ରୋଇକାରେ ତିନି ବିକାଶଶୀଳ ଦେଶ ଓ ପ୍ରଗତିଶୀଳ ଅର୍ଥବ୍ୟବସ୍ଥା ସାମିଲ ହେବେ ।

ଜି୨୦ ସଦସ୍ୟଙ୍କ ବ୍ୟତୀତ ସମ୍ମିଳନୀ ଓ ବୈଠକରେ ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଓ ଅତିଥି ଦେଶକୁ ନିମନ୍ତ୍ରଣ ଦିଆଯାଏ । ଭାରତ ନିଜ ଅଧ୍ୟକ୍ଷତାରେ ବାଂଲାଦେଶ, ମିଶର, ମରିସସ, ନେଦରଲାଣ୍ଡ, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍ ଓ ସଂଯୁକ୍ତ ଆରବ ଏମିରତକୁ ଅତିଥି ଭାବେ ଆମନ୍ତ୍ରଣ କରିବ ବୋଲି ଜଣାପଡିଛି ।

Related Articles

Back to top button