ଭାରତର ବଡ଼ ବିଜୟ , ୭ ୱିକେଟରେ ହାରିଲା ପାକିସ୍ତାନ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲାରେ ଏକପାଖିଆ ଭାରତ ବିଜୟ ଲାଭ କରିଛି। ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୨.୫ ଓଭର ଖେଳି ୧୯୧ ରନରେ ଅଲଆଉଟ ହୋଇଯାଇଥିଲା ଏବଂ ଭାରତକୁ ୧୯୨ ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ମାତ୍ର ୩୦.୩ଓଭରରେ ୧୯୨ ରନ କରି ୭ୱିକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିଛି ଭାରତ। ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି। ଦିନିକିଆ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି। ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ୬୩ଟି ବଲରୁ ୬ ଛକା, ୬ ଚୌକା ସହ ୮୬ ରନ କରିଥିଲେ । ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ (୫୩ ରନ) ହାସଲ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ। ତେବେ ଆଜି ଯଶପ୍ରୀତ ବୁମରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା। ଯଶପ୍ରୀତ ବୁମରା ୭ଓଭରରେ ଗୋଟିଏ ମେଡେନ ନେଇ ୧୯ ରନ ଦେବା ସହିତ ୨ ୱିକଟେ ହାସଲ କରିଥିଲେ। ତାଙ୍କର ଏହି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଜି ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭା‌ବେ ବିବେଚନା କରାଯାଇଥିଲା।

ଆଜିର ମ୍ୟାଚରେ ଭାରତୀୟ ବୋଲର କମାଲ ଦେଖାଇଥିବାବେଳେ ପାକିସ୍ତାନକୁ ୧୯୧ରେ ସୀମିତ ରଖିବାରେ ସଫଳ ହୋଇଥିଲେ। ଫଳରେ ୪୨.୫ ଓଭର ଖେଳି ୧୯୧ ରନରେ ପାକିସ୍ତାନ ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳି ଏକ ବଡ଼ ସ୍କୋର ଆଡକୁ ଆଗକୁ ଥିବାବେଳେ ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ କରାଇଥିଲେ। ଫଳରେ ପାକିସ୍ତାନ ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଥିଲା।

ଆଜି ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ। ବାବର ଆଜମ୍ ଓ ମହମ୍ମଦ ରିଜୱାନ ଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ ସହ ଭାରତୀୟ ଖେଳାଳିମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ବାବର ୫୦ ରନ ଏବଂ ରିଜୱାନ ୪୯ ରନ କରିବା ପରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ। ଏହା ପରେ ସ୍ଥିତି ବଦଳିଯାଇଥିଲା। ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟିଂ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Related Articles

Back to top button