ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ପୂର୍ବତନ ରିସୋର୍ଟ ମ୍ୟାନଜେରଙ୍କ ଚାଞ୍ଚଲ୍ୟକର ଖୁଲାସା

ଡେରାଡୁନ: ବହୁଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାର ତଦନ୍ତ ଯେତିକି ଆଗକୁ ବଢୁଛି, ସେତିକି ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ବହୁଚର୍ଚ୍ଚିତ ମାମଲାରେ ମୁଖ୍ଯ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ସମେତ ମୋଟ 3 ଜଣ ଅଭିଯୁକ୍ତ ଏବେ ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟର ଅପରାଧିକ କାର୍ଯ୍ୟକଳାପର ଚିଠା ସଂଗ୍ରହ କରିବାରେ ଲାଗିଛି ଉତ୍ତରାଖଣ୍ଡ ପୋଲିସ ।

ଆଜି ଘଟଣାର ତଦନ୍ତ କୁରଥିବା SIT ଏବଂ ଫୋରେନସିକ୍ ଟିମ୍ ବନନ୍ତ୍ରାରେ ଥିବା ପୁଲକିତର ରିସୋର୍ଟରୁ ପ୍ରମାଣ ସଂଗ୍ରହ ପାଇଁ ପହଞ୍ଚିଛନ୍ତି । ଏହାରି ମଧ୍ୟରେ ଉକ୍ତ ରିସୋର୍ଟର ଜଣେ ପୂର୍ବତନ ମହିଳା ମ୍ୟାନେଜର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । କିଛି ମାସ ପର୍ବରୁ ସେ ମଧ୍ୟ ସେଠାରେ କାର୍ଯ୍ୟରତ ଥିଲେ । ସେ ମଧ୍ୟ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ସହ ରିସୋର୍ଟରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ସହ ଆଲୋଚନା କରିଛି ଇଟିଭି ଭାରତ ଟିମ ।

ରିସୋର୍ଟର ପୂର୍ବତନ ମ୍ୟାନେଜର କହିଛନ୍ତି ଯେ ବନନ୍ତ୍ରା ରିସର୍ଟରେ ପୁଲକିତ ଆର୍ଯ୍ୟର ବିଳାଶମୟ ଜୀବନ ଅତିବାହିତ କରୁଥିଲା । ଉକ୍ତ ରିସୋର୍ଟ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ସାରିଥିଲା । ପ୍ରଭାବଶାଳୀ ଗ୍ରାହକମାନେ ସେଠାକୁ ଆସୁଥିଲେ । ଯୁବତୀଙ୍କୁ ମଧ୍ୟ ଅଣାଯାଉଥିଲା । ହେଲେ ଯୁବତୀଙ୍କ ତଥ୍ୟ ରିସୋର୍ଟରେ ଥିବା ରେଜିଷ୍ଟରରେ ପଞ୍ଜୀକୃତ ହେଉ ନଥିଲା । ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଉପରେ ପୁଲକିତ ଭିନ୍ନ ଉଦ୍ଦେଶ୍ୟ ରଖୁଥିଲା । ଏହା ଜଣିବା ପରେ ସେ ସେଠାରେ ନିଜକୁ ସୁରକ୍ଷିତ ଅନୁଭବ ନ କରିବାରୁ କୌଶଳକ୍ରମେ ସେଠାରୁ ନିଜ ସ୍ବାମୀଙ୍କ ସହ ଖସି ଆସିବାରେ ସଫଳ ହୋଇଥିଲେ ।

ଉତ୍ତରାଖଣ୍ଡ ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତର ପରିବାର ସଦସ୍ୟଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛି ଭାରତୀୟ ଜନତା ପାର୍ଟି । ପୁଲକିତର ପିତା ତଥା ବିଜେପି ନେତା ବିନୋଦ ଆର୍ଯ୍ୟ ଓ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଛି BJP । ଅଙ୍କିତ ଆର୍ଯ୍ୟ ବିଜେପି ସରକାରଙ୍କ OBC ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ବରେ ଥିଲେ ।

ସୂଚନା ଅନୁସାରେ, ଅଭିଯୁକ୍ତ ପୁଲକିତଙ୍କ ରିସୋର୍ଟରେ କାମ କରୁଥିବା ୧୯ ବର୍ଷୀୟ ଯୁବତୀ ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସୋର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ । ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ଗତ ଶନିବାର ସକାଳ ୭ଟାରୁ ରିସୋର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପୁଲକିତ ଆର୍ଯ୍ୟକୁ ଶୁକ୍ରବାର ଗିରଫ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ନିଜର କିଛି ସହଯୋଗୀଙ୍କ ସହାୟତାରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ଓ ଅଙ୍କିତା ଏହାକୁ ବିରୋଧ କରିବାରୁ ପୁଲକିତ ତାକୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ସମେତ ମୋଟ 3 ଜଣ ଗିରଫ ହୋଇ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

Related Articles

Back to top button