ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ: ମୃତ୍ୟୁ  ସଂଖ୍ୟା ୪କୁ ବୃଦ୍ଧି, ୬ ଜଣ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଡାଙ୍ଗରୀ ଗାଁରେ ରବିବାର ରାତିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଆଖି ବୁଜା ଗୁଳିଚାଳନା କରିଥିଲେ । ଆତଙ୍କୀମାନେ ଗୋଟିଏ ସଂପ୍ରଦାୟର ତିନୋଟି କୋଠା ଉପରକୁ ଗୁଳିମାଡ କରିଥିଲେ । ଏହି ଘଟଣାରେ ମୃତ୍ୟୁ  ସଂଖ୍ୟା ୪କୁ ବୃଦ୍ଧି ପାଇଛି । ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ରାଜୌରୀ ମେଡକାଲ କଲେଜରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଡାଙ୍ଗରୀ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗାଁ ଲୋକେ ଶବକୁ ରଖି ଧାରଣା ଦେଇଛନ୍ତି । ସାରା ରାତି ଗାଁଲୋକେ ଏପରି  ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଡାଙ୍ଗରୀ ଗାଁ ଲୋକେ ୪ ଶବକୁ ରଖି ନୀରବ ଧାରଣା ଦେଇଥିଲେ । ଡାଙ୍ଗରୀ ସରପଞ୍ଚଙ୍କ କହିବା ଅନୁଯାୟୀ, ଆତଙ୍କୀମାନେ ଗାଁକୁ ଆସି ପ୍ରଥମେ ସବୁ ଲୋଙ୍କ ପରିଚୟ ମାଗିଥିଲେ । ମାରିବା ପୂର୍ବରୁ ସମସ୍ତଙ୍କର ପରିଚୟପତ୍ର ମାଗିଥିଲେ । ପରିଚୟ ପତ୍ରରେ ଯେଉଁମାନଙ୍କର ହିନ୍ଦୁ ନାଁ ଲେଖା ଯାଇଥିଲା ସେମାନଙ୍କୁ ଲକ୍ଷ୍ୟ କରି ଗୁଳି ମାରି ଦେଇଥିଲେ ।

ହି ଘଟଣାରେ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଦୁଇଜଣ ସମ୍ପର୍କରେ ବାପା-ପୁଅ ହେବେ । ଆତଙ୍କୀମାନେ ମହିଳାଙ୍କ ସହ ମଧ୍ୟ ଅସଦାଚରଣ କରିଛନ୍ତି । ମହିଳାଙ୍କ ଚୁଟି ଟାଣିବା ସହ ମୁଥ ମାରିଥିଲେ । ପରେ ମହିଳାମାନଙ୍କୁ କୋଠରୀରେ ବନ୍ଦ କରି ଦେଇଥିଲେ । ସେମାନଙ୍କ ସାମ୍ନାରେ ଗୁଳି ଫୁଟାଇଥିଲେ ।

ସ୍ଥାନୀୟ ଲୋକଙ୍କ କହିବ ଅନୁଯାୟୀ କାଶ୍ମୀର ପରି ଏଠାରେ ଟାର୍ଗେଟ କିଲିଂ ଆରମ୍ଭ ହୋଇଗଲାଣି । ପ୍ରଥମ ଥର ପାଇଁ ଏହି ଗାଁରେ ଏପରି ଆତଙ୍କୀ ଆକ୍ରମଣ ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ରାଜୌରୀ ବନ୍ଦ ଡାକରା ଦେଇଛନ୍ତି । ପୋଲିସ ଆତଙ୍କୀ ଆକ୍ରମଣ ଖବର ପାଇବା ପରେ ଉକ୍ତ ଅଞ୍ଚଳକୁ ସିଲ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲା ।

Related Articles

Back to top button