
ନକଭିଙ୍କ ସହ ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଆରସିପି ସିଂହ
ଜେଡିୟୁ କୋଟାରୁ ଥିଲେ ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ସହ ଜେଡିୟୁ ନେତା ରାମ ଚନ୍ଦ୍ର ପ୍ରସାଦ ସିଂହ ମଧ୍ୟ ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଦୁଇ ନେତାଙ୍କ ରାଜ୍ୟସଭା ସଦସ୍ୟତା ଭାବେ କାର୍ଯ୍ୟକାଳ ସମାପ୍ତ ହେଉଛି।ବୁଧବାର କ୍ୟାବିନେଟ୍ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭି ଏବଂ ରାମ ଚନ୍ଦ୍ର ପ୍ରସାଦ ସିଂହଙ୍କୁ ଦେଶ ଏବଂ ଜନତାଙ୍କ ପାଇଁ ଦେଇଥିବା ଯୋଗଦାନକୁ ପ୍ରଶଂସା କରିଛନ୍ତି।
ଜେଡିୟୁ ନେତା ଆରସିପି ସିଂହ ୨୦୨୧ ଜୁଲାଇ ୭ରେ ମୋଦୀ ସରକାରରେ ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ନିକଟରେ ସଂପନ୍ନ ରାଜ୍ୟସଭା ନିର୍ବାଚନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରସିପି ସିଂହଙ୍କୁ ଟିକେଟ୍ ଦେବାକୁ ମନା କରି ଦେଇଥିଲେ।
ଉଲ୍ଲେଖନୀୟ ରାଜ୍ୟସଭା ସାଂସଦ ଭାବେ ନକଭି ଏବଂ ରାମ ଚନ୍ଦ୍ର ପ୍ରସାଦ ସିଂହଙ୍କ କାର୍ଯ୍ୟକାଳ ଗୁରୁବାର ସମାପ୍ତ ହେବାକୁ ଯାଉଛି। ସୂତ୍ର ମୁତାବକ ଦୁଇ ମନ୍ତ୍ରୀ ଆଜି ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ। କ୍ୟାବିନେଟ୍ ବୈଠକ ସରିବା ମାତ୍ରେ ନକଭି ପାର୍ଟି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ବିଜେପିର ବରିଷ୍ଠ ନେତା ନକଭି ରାଜ୍ୟସଭାରେ ପାର୍ଟିର ଉପ ନେତା ଥିଲେ।
ଉଲ୍ଲେଖନୀୟ ରାଷ୍ଟ୍ରପତି ପରେ ଉପ ରାଷ୍ଟ୍ରପତି ପଦରେ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ବିଜେପି ଏବଂ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। କିନ୍ତୁ ବିଜେପି ପକ୍ଷରୁ ମୁଖତାର ଅବାସ ନକଭିଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। କେରଳ ରାଜ୍ୟପାଲ ଆରିଫ ମହମ୍ମଦ ଖାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଉପ ରାଷ୍ଟ୍ରପତି ଥିବା ଏମ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ସରୁଛି।