ଦୀର୍ଘ ୪୦ ଘଣ୍ଟାପରେ ରାଞ୍ଚି ଫେରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଞ୍ଚି ଫେରିଛନ୍ତି । ୪୦ ଘଂଟା ପରେ ସେ ରାଞ୍ଚି ଫେରିଛନ୍ତି ।  ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ୧୦ଥର ସମନ ଜାରି କରାଯାଇଛି । ଗତକାଲି ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନକୁ ଯାଇଥିଲେ ଇଡି ଅଧିକାରୀ । ହେଲେ ତାଙ୍କୁ ନପାଇ ନିରାଶ ହୋଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗରେ ନେଇଥିଲେ । ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସେପଟେ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛନ୍ତି ।

ଜମି ଦୁର୍ନୀତି ସମ୍ପର୍କିତ ଟଙ୍କା ହେରଫେର ମାମଲାରେ ତାଙ୍କୁ ପଚରାଉଚରା କରିବାକୁ ଇଡି ଖୋଜୁଥିବା ବେଳେ ଚିଠି ଲେଖିଛନ୍ତି ସୋରେନ । ସମନ ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ବାଧା ଦେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ବଜେଟ ପାଇଁ ସେ ବ୍ୟସ୍ତ ଥିବା କହିଛନ୍ତି । ଏବଂ ବୁଧବାର ଦିନ ଇଡି କାର୍ଯ୍ୟାଳୟରେ ନିଜର ବୟାନ ରେକର୍ଡ କରିବେ ବୋଲି କହିଛନ୍ତି ହେମନ୍ତ ସୋରେନ । ଇଡି ଚଢାଉକୁ ନେଇ ଉତେଜନା ବଢୁଥିବାରୁ ଝାଡଖଣ୍ଡ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ୧୦୦ମିଟର ପରିଧି ଭିତରେ ୧୪୪ଧାରା ଜାରି କରାଯାଇଛି । ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି ।

Related Articles

Back to top button