LCA Mk2କୁ ମିଳିଲା ସରକାରଙ୍କ ସବୁଜ ସଂକେତ, ୨୦୨୪ ସୁଦ୍ଧା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ: ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍) ଗୁରୁବାର ଏଲସିଏ ମାର୍କ-୨ ଫାଇଟର ଜେଟ୍‌ର ବିକାଶ ଓ ନିର୍ମାଣକୁ ସବୁଜ ସଂକେତ ଦେଇଛନ୍ତି। ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀଙ୍କ ମୁଖ୍ୟ ଗିରିଶ ଦେୱରଧରେ ଏହି ସୂଚନା ଦେଇଛନ୍ତି। ଏହା ଏକ ଅତ୍ୟାଧୁନିକ ୧୭.୫ ଟନର ସିଙ୍ଗଲ ଇଞ୍ଜିନ ସୁପରସୋନିକ୍ ଫାଇଟର ଜେଟ୍‌ । ଦେଶରେ ଏହି ବିମାନର ବିକାଶ ଓ ନିର୍ମାଣ ହେଲେ ଭାରତୀୟ ବାୟୁସେନାରେ ଥିବା ପୁରୁଣା ମିରାଜ୨୦୦୦, ଜାଗୁଆର ଓ ମିଗ-୨୯ କମ୍ବାଟ ଏୟାର କ୍ରାଫ୍ଟକୁ ହଟାଇବାରେ ସହାୟତା ମିଳିବ।

ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସୀ ମୁଖ୍ୟଙ୍କ ଅନୁସାରେ ଏହି ଫାଇଟର ଜେଟ୍‌ର ପ୍ରଥମ ଉଡାଣ ୨୦୨୪ରେ ସମ୍ଭବ ହୋଇପାରିବ। ତେବେ ଏହାକୁ ସମ୍ପୂର୍ଣ୍ଣ ବିକଶିତ କରି ନିର୍ମାଣ କରିବାରେ ଆହୁରି ୫ ବର୍ଷ ସମୟ ଲାଗିଯିବ। ଯାହା ଅନୁମାନ କରାଯାଉଛି ୨୦୨୭ ମସିହା ବେଳକୁ ଏହି ବିମାନର ଉତ୍ପାଦନ ଆରମ୍ଭ ହୋଇସାରିଥିବ। ଏହି ପ୍ରକଳ୍ପକୁ ସବୁଜ ସଂକେତ ଦିଆଯିବାର ଅର୍ଥ ଏଲସିଏ ମାର୍କ ୱାନ୍‌-ଏ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମୋଦନ ମିଳିବା ବୋଲି ଗିରିଶ କହିଛନ୍ତି। ଏହା ଦ୍ୱାରା ପଞ୍ଚମ ପିଢୀର ଅତ୍ୟାଧୁନିକ ମିଡିୟମ କମ୍ବାଟ ଏୟାର କ୍ରାଫ୍ଟ ପ୍ରୋଜେକ୍ଟ ବିକଶିତ କରିବାକୁ ସହାୟତା ମିଳିବ।

ଗିରିଶଙ୍କ ଅନୁସାରେ ଏଲସିଏ ମାର୍କ-୨ ଫାଇଟର ଜେଟ୍‌ର ପ୍ରୋଟୋଟାଇପ୍‌ର ବିକାଶ ବର୍ଷକ ମଧ୍ୟରେ ହୋଇଯିବ। ଯାହାର ଉଡାଣ ମଧ୍ୟ ବର୍ଷେ ୨ ବର୍ଷରେ ସମ୍ଭବ ହୋଇପାରିବ। ତେବେ ୨୦୨୭ ସୁଦ୍ଧା ଡେଭଲପମେଣ୍ଟ ପ୍ରୋଜେକ୍ଟ ମଧ୍ୟ ପୁରା ହୋଇଯିବ। ଏହି ସମୟରେ ଏହାର ଟ୍ରାୟଲ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ ମଧ୍ୟ ପୁରା କରି ନିଆଯିବ। ଏଭିଓନିକ୍ସ ଓ ଅନ୍ୟ ପ୍ରସଙ୍ଗରେ ଏହି ଯୁଦ୍ଧବିମାନକୁ ରାଫେଲ ଶ୍ରେଣୀରେ ରଖା ଯାଇ ପାରିବ ବୋଲି ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆରଡିଓ) କହିଛନ୍ତି। ତେବେ ଏହାର ଓଜନ ରାଫେଲ ଠାରୁ କମ୍ ହେବ। ଏହି ବିମାନର ଇଞ୍ଜିନ ଭାରତରେ ନିର୍ମାଣ ହେବା ଦରକାର ବୋଲି ଭାରତ ସରକାର କହିଛନ୍ତି। ତେବେ ପ୍ରାଥମିକ ପ୍ରକଳ୍ପ ପୂରା ହେବା ପରେ ଏହା ସମ୍ଭବ ହେବ ବୋଲି କୁହାଯାଇଛି।

Related Articles

Back to top button