ନୂଆଦିଲ୍ଲୀ ଷ୍ଟେସନରୁ ଧରାପଡିଲେ ୧୧ ନକଲି ଟିଟିଇ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଧରା ପଡିଲା ବଡ ଠକେଇ । ୧୧ ଜଣ ନକଲି ଟିଟିଇ ଡ୍ୟୁଟି କରିବା ବେଳେ ଧରା ପଡିଛନ୍ତି । ଅଭିଯୁକ୍ତମାନେ ୧୫ ଦିନ ଧରି ଡ୍ୟୁଟି କରୁଥିଲେ । ତେବେ ସବୁଠାରୁ ବଡ କଥା ହେଲା ଯେ, ଏହା କେହି ଜାଣିପାରିନଥିଲେ । ମାମଲା ସାମ୍ନାକୁ ଆସିବା ପରେ ରେଳବାଇ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରିପୋର୍ଟ ଅନୁସାରେ, ଭାରତୀୟ ରେଳବାଇର ଜଣେ ଅଧିକାରୀଙ୍କ ପ୍ରଥମେ ସନ୍ଦେହ ହୋଇଥିଲା । ଏହାପରେ ଏହି ଠକ ଟିଟିଇମାନେ ଗିରଫ ହୋଇଥିଲେ । ଆରପିଏଫ ଏମାନଙ୍କୁ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଛି ।  ତେବେ ଅଭିଯୁକ୍ତମାନେ ବିଭିନ୍ନ ପ୍ଲାଟଫର୍ମରେ ଡ୍ୟୁଟି କରୁଥିଲେ । ସେ ଟିଟିଇଙ୍କ ଭଳି ଧଳା ରଙ୍ଗରଲସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିଲେ । ଡ୍ୟୁଟି ସରିବା ପରେ ଘରକୁ ଚାଲି ଯାଇଥିଲେ ।

ଦିଲ୍ଲୀରେ ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଏତେ ବଡ ସଂଖ୍ୟାରେ ନକଲି ଟିଟିଇଙ୍କୁ ଗିରଫ କରାଯାଇଛି । ତେବେ ରେଳବାଇର ଅଧିକାରୀ ରିତେଶ ବାଧବା ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ତାଙ୍କୁ ନକଲି ଟିଟିଇମାନେ ଟିକେଟ୍ କଥା ପଚାରିଥିଲେ ।  ଏହାପରେ ହିଁ ରିତେଶଙ୍କ ସନ୍ଦେହ ବଢିଥିଲା । ପରେ ସମସ୍ତଙ୍କୁ ନୂଆଦିଲ୍ଲୀ ଷ୍ଟେସନରେ ଗିରଫ କରାଯାଇଥିଲା ।

ଘଟଣାକୁ ନେଇ ରେଳବାଇ ଡିସିପି ହରେନ୍ଦ୍ର ସିଂ କହିଛନ୍ତି ଯେ, ତଦନ୍ତ ପରେ ତିନିଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କ ଭୂମିକାକୁ ନେଇ ପଚରା ଉଚରା କରାଯାଉଛି । ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବୋଲି ସୂଚନା ମିଳିଛି ।. କିଛି ଅଭିଯୁକ୍ତଙ୍କ ପାଖରେ ଫେକ ନିଯୁକ୍ତିପତ୍ର ମଧ୍ୟ ଥିଲା ବୋଲି ସେ କହିଛନ୍ତି ।

Related Articles

Back to top button