ଲିଭ-ଇନ୍ ରିଲେସନଶିପ କୌଣସି ଅପରାଧ ନୁହେଁ: ଜାଣନ୍ତୁ କେଉଁ ସବୁ ଅଧିକାର ମିଳିଥାଏ ମହିଳାଙ୍କୁ
ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାଲକରଙ୍କ ହତ୍ୟା ପରେ ଏବେ ସାରା ଦେଶରେ ଲିଭ୍-ଇନ୍ ରିଲେସନଶିପକୁ ନେଇ ଚର୍ଚ୍ଚା ଜାରି ରହିଛି । ଶ୍ରଦ୍ଧାଙ୍କୁ ତାଙ୍କର ଲିଭ-ଇନ୍ ପାର୍ଟନର ଅଫତାବ ଅମିନ ପୁନାୱାଲା ହତ୍ୟା କରିଥିବା ନେଇ ସ୍ୱୀକାର କରିଛି । ତେବେ ଲିଭ-ଇନରେ ରହିବା କୌଣସି ଅପରାଧ ନୁହେଁ । ଏପରି ସମ୍ପର୍କରେ ରହୁଥିବା ମହିଳାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏପରି ସ୍ଥିତିରେ ଲିଭ-ଇନରେ ରହୁଥିବା ମହିଳାଙ୍କୁ କ’ଣ ସବୁ ଅଧିକାର ମିଳିଥାଏ, ତାହା ଜାଣିବା ନିହାତି ଜରୁରୀ ।
ଆଜିକାଲି ବଡ଼ ବଡ଼ ସହରମାନଙ୍କରେ ଲିଭ-ଇନ୍ ରିଲେସନଶିପ ଏକ ସାଧାରଣ କଥା ହୋଇଗଲାଣି । ଏଥିରେ ପୁଅ-ଝିଅ ବିବାହ ନକରି ଗୋଟିଏ ଘରେ ଦୀର୍ଘ ସମୟ ଧରି ଏକତ୍ର ରହିଥାନ୍ତି । ବର୍ତ୍ତମାନ ଲିଭ-ଇନ ରିଲେସନଶିପର କଲଚର ବଢ଼ୁଥିବା ବେଳେ ୨୦୧୮ରେ ଏନେଇ ଏକ ସର୍ଭେ କରାଯାଇଥିଲା । ସର୍ଭେରେ ସାମିଲ ଥିବା ୮୦ ପ୍ରତିଶତ ଲୋକ ଏହାକୁ ସପୋର୍ଟ କରିଥିଲେ । ସୁଯୋଗ ମିଳିଲେ ଲିଭ-ଇନରେ ରହିବେ ବୋଲି ୨୬ ପ୍ରତିଶତ ଲୋକ ମତ ଦେଇଥିଲେ ।
ଲିଭ-ଇନରେ ରହୁଥିବା ସମୟରେ ଶ୍ରଦ୍ଧାଙ୍କୁ ଅଫତାବ ମାରପିଟ କରୁଥିଲା । ତେବେ ମାମଲା ବହୁତ ଆଗକୁ ବଢ଼ିଥିଲେ ବି ଶ୍ରଦ୍ଧା ପୋଲିସରେ ଅଭିଯୋଗ କରିନଥିଲେ । ତେଣୁ ଏପରି କ୍ଷେତ୍ରରେ ଜଣେ ମହିଳାଙ୍କୁ ନିଜର ଅଧିକାର ସମ୍ପର୍କରେ ଜାଣିବା ନିହାତି ଜରୁରୀ । ସାବାଳକ/ ସାବାଳିକା ହେବା ପରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ବିବାହ ନକରି ଏକାଠି ରହିବାର ସ୍ୱାଧୀନତା ରହିଛି । ୧୬ ବର୍ଷ ପୂର୍ବେ ସୁପ୍ରିମକୋର୍ଟ ଏଭଳି ରାୟ ଦେଇଥିଲେ ।
ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ-୫ ଅନୁଯାୟୀ, ଦେଶର ୧୬ ପ୍ରତିଶତରୁ ଅଧିକ ମହିଳା ତାଙ୍କର ପାର୍ଟନରଙ୍କ ହିଂସାର ଶିକାର ହୋଇଛନ୍ତି । ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି । ବିନା ବିବାହରେ ଏକତ୍ର ରହୁଥିବାରୁ ପୁରୁଷ ହିଂସା ଆଚରଣ କରିବାର ସମ୍ଭାବନା ରହିଥାଏ । ତେଣୁ ସୁପ୍ରିମକୋର୍ଟ ଏଥିପାଇଁ ମହିଳାଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିଛନ୍ତି । ଲିଭ-ଇନରେ ରହୁଥିବା ମହିଳାଙ୍କ ସହ ଯଦି କୌଣସି ହିଂସା ହୁଏ, ତେବେ ସେ ଅଦାଲତର ଦ୍ୱାରସ୍ଥ ହୋଇପାରନ୍ତି ।
ଏଥିସହିତ ଲିଭ-ଇନରେ ରହୁଥିବା ମହିଳାମାନେ ବିବାହିତା ମହିଳାଙ୍କ ପରି ଗୁଜୁରାଣ ପାଇବାର ହକ ରହିଛି । ଯଦି ପୁରୁଷ ପାର୍ଟନର ବିନା ସହମତିରେ ମହିଳାଙ୍କୁ ଛାଡ଼ିଦିଏ, ତେବେ ଆଇନଗତ ଭାବେ ମହିଳାଙ୍କୁ ଭତ୍ତା ପ୍ରଦାନ କରାଯିବାର ନିୟମ ରହିଛି । ଏହି ସମ୍ପର୍କରେ ରହୁଥବା ମହିଳାମାନେ ସିଆରପିସିର ଧାରା ୧୨୫ ଅନୁଯାୟୀ ଭରଣପୋଷଣ ପାଇପାରିବେ । ଗତ ୨୦୧୧ରେ ଏକ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିଲେ ।
ଲିଭ-ଇନ ରିଲେସନଶିପରେ ଜନ୍ମ ନେଉଥିବା ସନ୍ତାନର ପିତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ରହିଛି । ବର୍ଷ ବର୍ଷ ଧରି ପୁରୁଷ-ମହିଳା ବିବାହ ନକରି ଏକତ୍ର ରହୁଥିଲେ ଦୁହେଁ ବିବାହ କରିଛନ୍ତି ବୋଲି ମାନି ନିଆଯିବ । ସେହି ଆଧାରରେ ପିଲାମାନେ ପିତାଙ୍କ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ । କେରଳ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଏହି ଶୁଣାଣି କରିଥିଲେ ।