
ଦିଲ୍ଲୀ ଏମସ୍ର ନୂଆ ନିର୍ଦ୍ଦେଶକ ହେଲେ ଡା. ଏମ. ଶ୍ରୀନିବାସ
ନୂଆଦିଲ୍ଲୀ: ଡା. ଏମ.ଶ୍ରୀନିବାସ ହେବେ ଦିଲ୍ଲୀ ଏମସ୍ର ନୂଆ ନିର୍ଦ୍ଦେଶକ। ଏଠାରେ ସେ ଡା. ରଣଦୀପ ଗୁଲେରିଆଙ୍କ ସ୍ଥାନ ନେବେ। ଡା.ଶ୍ରୀନିବାସ ଏବେ ଇଏସଆଇସି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ହାଇଦ୍ରାବାଦଙ୍କ ଡିନ ଥିଲେ। ଏମସ୍ ନିର୍ଦ୍ଦେଶକ ଅବସ୍ଥାପିତ ଥିବା ଡା. ଗୁଲେରିଆଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୨୪ରେ ସମାପ୍ତ ହେବାର ଥିଲା। ତେବେ ତାଙ୍କ କାର୍ଯ୍ୟକାଳକୁ ୨୪ ଜୁନ ୨୦୨୨ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀମଣ୍ଡଳ ନିଯୁକ୍ତି କମିଟି ଏମସ୍ଙ୍କ ନୂଆ ନିର୍ଦ୍ଦେଶକଙ୍କ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟଙ୍କ କୂଳପତି ଯୋଗେଶ ସିଂହ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଜୈବ ପ୍ରୟୁକ୍ତି ବିଭାଗ ସଚିବ ରାଜେଶ ଏସ୍. ଗୋଖଲେ ଓ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ ଆଦି ସଦସ୍ୟ ଅଛନ୍ତି।
ଏମସ୍ ନିର୍ଦ୍ଦେଶ ଭାବେ ଡା. ରଣଦୀପ ଗୁଲେରିଆ କୋଭିଡ କାଳରେ ବେଶ୍ ସୁନାମ ଅର୍ଜନ କରିଥିଲେ। ଲୋକେ କେବଳ ତାଙ୍କର ପରାମର୍ଶ ମାନି ନଥିଲେ ଲୋକଙ୍କ ବିଭିନ୍ନ ଭ୍ରମ ମଧ୍ୟ ଦୂର କରିବାରେ ଡା. ଗୁଲେରିଆ ବେଶ ସହାୟକ ହୋଇଥିଲେ। ପେଷାରେ ପଲମୋଲଜିଷ୍ଠ ଡା. ଗୁଲେରିଆ ପ୍ରଦୂଷଣ ଯୋଗୁ ଫୁସ୍ ଫୁସ୍ ଉପରେ ପଡୁଥିବା ଦୁଃସ୍ପ୍ରଭାବ ଗହନ ଅଧ୍ୟୟନ ମଧ୍ୟ କରିଛନ୍ତି।
ଏମସ୍ ରେ ନିର୍ଦ୍ଦେଶକ ହେବା ପୂର୍ବରୁ ଡା. ଗୁଲେରିଆ ଫୁସଫୁସ୍ ସମ୍ପର୍କିତ ରୋଗ ବିଭାଗର ଏଚଓଡି ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କର ସେ ଏମସ୍ରେ ଚିକିତ୍ସା କରିଥିଲେ। ଏହା ଛଡା ସେ ଦେଶର ଏପରି ଜଣେ ଡାକ୍ତର ଯାହାଙ୍କର ପଲମେନରୀ ମେଡିସିନ ଓ କ୍ରିଟିକାଲ କେୟାରରେ ଡକ୍ଟରେଟ୍ ଅଫ ମେଡିସିନ ଡିଗ୍ରି ରହିଛି।