
ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ: ୨୪ଘଣ୍ଟାରେ ୯ଜଣଙ୍କ ମୃତ୍ୟୁ, ୮୩୮ଘର ନଷ୍ଟ
ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ। ୨୪ଘଣ୍ଟାରେ ଗଲା ୯ଜଣଙ୍କ ଜୀବନ। ମହାରାଷ୍ଟ୍ରରେ ଚଳିତ ବର୍ଷ ଜୁନ୍ ୧ରୁ ଜୁଲାଇ ୭ପର୍ଯ୍ୟନ୍ତ ବର୍ଷା ପାଇଁ ୭୬ଜଣଙ୍କର ମୃତ୍ୟୁ ହୋଇଛି। । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଏଥିମଧ୍ୟରୁ ଗତ ୨୪ଘଣ୍ଟା ମଧ୍ୟରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁମ୍ବାଇ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ବର୍ଷା ହେତୁ ୮୩୮ଟି ଘର ନଷ୍ଟ ହୋଇଯାଇଛି ଏବଂ ୪୯୧୬ ଜଣଙ୍କୁ ମହାରାଷ୍ଟ୍ରର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟରେ ୩୫ଟି ରିଲିଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ ବର୍ଷା ହେତୁ ୧୨୫ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ମହାରାଷ୍ଟ୍ରର ମରାଠୱାଡା ଏବଂ ବିଦର୍ଭରେ ପ୍ରବଳ ବର୍ଷା ଯୋଗୁଁ ଅତି କମରେ ୧୩୦ଟି ଗାଁ ପ୍ରଭାବିତ ହୋଇଛି ଏବଂ ୨୦୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ସବୁଠାରୁ ବଡ଼ କଥା ହେଲା ଏପର୍ଯ୍ୟନ୍ତ ଏହି ସ୍ଥାନରେ କୌଣସି ଲୋକଙ୍କର ଜୀବନହାନି ଘଟିନାହିଁ।
ଅନ୍ୟପକ୍ଷରେ ପ୍ରବଳ ବର୍ଷା ହେତୁ ପୂର୍ବ ମହାରାଷ୍ଟ୍ରର ଗଢ଼ଚିରୋଲିର ୧୨୮ଟି ଗାଁକୁ ଯୋଗାଯୋଗ ବିିଚ୍ଛିିନ୍ନ ହୋଇଛି। ଶନିବାର ରାଜ୍ୟ ରିଲିଫ ଏବଂ ପୁନଃଥଇଥାନ ବିଭାଗ ଦ୍ବାରା ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ଗଢ଼ଚିରୋଲି ବ୍ୟତୀତ ମରାଠୱାଡାର ହିଙ୍ଗୋଲି ଏବଂ ନାନ୍ଦେଡ ଜିଲ୍ଲାରେ ମଧ୍ୟ ଶୁକ୍ରବାର ଓ ଶନିବାର ଦିନ ପ୍ରବଳ ବର୍ଷା ହୋଇଛି।