ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଗଭୀର ‌ଦୁଃଖ ପ୍ରକାଶ କରିଛନ୍ତି ମୋଦୀ

ଇରାନ ରାଷ୍ଟ୍ରପତିଙ୍କୁ ୧୬-୧୭ ଘଣ୍ଟା ନିରବଚ୍ଛିନ୍ନ ଭାବେ ଖୋଜା ଚାଲିଥିଲା। ଆଜି ସକାଳ ୯ଟାରେ ସ୍ପଷ୍ଟ ହୋଇଗଲା ଯେ, ରାଷ୍ଟ୍ରପତି ଇବ୍ରାହିମ୍‌ ରଇସୀଙ୍କ ମୃତ୍ୟୁ ହୋଇସାରିଛି। ଗତକାଲି ସେ ଏକ ନଦୀବନ୍ଧ ପ୍ରକଳ୍ପ ଉଦ୍‌ଘାଟନ କରି ଫେରୁଥିଲେ। ପାହାଡ଼ିଆ ଅଞ୍ଚଳରେ ପାଗ ଖରାପ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାର ସାମ୍ନା କରିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତିରେ ଇରାନ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ। ଇରାନ ଜନତାଙ୍କ ସହିତ ଭାରତ ଛିଡ଼ା ହୋଇଛି ବୋଲି କହିଥିଲେ। ଆଜି ମୋଦୀ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଗଭୀର ‌ଦୁଃଖ ପ୍ରକାଶ କରିଛନ୍ତି। ଗଭୀର ଶୋକ ପ୍ରକାଶ କରି ଭାରତ ସହିତ ସଂପର୍କକୁ ମନେ ପକାଇଛନ୍ତି। ଇବ୍ରାହିମ ରଇସୀ ୨୦୨୧ ଜୁନ ମାସରେ ହାସନ ରୁହାନୀଙ୍କ ସ୍ଥାନରେ ରାଷ୍ଟ୍ରପତି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ଗତବର୍ଷ ଉଭୟ ଭାରତ ଓ ଇରାନ ନେତା ଏକାଠି ହୋଇଥିଲେ। ଗତ ନଭେମ୍ବରରେ ଉଭୟ ନେତା ଫୋନ୍‌ରେ କଥାବାର୍ତ୍ତା କରିଥିଲେ। ସେହି ସମୟରେ ଗାଜାର ସ୍ଥିତି ସମେତ ଚାବହାର ବନ୍ଦରର ବିକାଶ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ତେବେ ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଖବର ଏଭଳି ସମୟରେ ଆସିଛି। ଗତ କିଛି ପୂର୍ବରୁ ଭାରତ ଓ ଇରାନ ଏକ ବଡ଼ ଡିଲ ଫାଇନାଲ କରିଥିଲେ। ୧୦ ବର୍ଷ ପାଇଁ ଭାରତକୁ ଚାବହାରସ୍ଥିତ ଶହିଦ ବେହେସ୍ତୀ ପୋର୍ଟ ପରିଚାଳନା ପାଇଁ ମିଳିଥିଲା। ଏହା ହେଉଛି ଇରାନର ଦ୍ବିତୀୟ ସର୍ବବୃହତ ବନ୍ଦର। ମୋଦୀ ସରକାରଙ୍କ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ବୁଝାମଣା ପାଇଁ ଇରାନ ଯାଇଥିଲେ। ଏହି ବୁଝାମଣା ପାଇଁ ଅନ୍ତର୍ଜାତୀୟ ସ୍ତରରେ ନେତାମାନେ ଚର୍ଚ୍ଚା କରିଥିଲେ। ଏହି ବୁଝାମଣାକୁ ନେଇ ପାକସ୍ତାନ ବ୍ୟସ୍ତ ହୋଇପଡ଼ିଥିଲା। ଏବେ ପ୍ରଶ୍ନ ଉଠୁଛି ଯେ, ଉଭୟ ଭାରତ ଓ ଇରାନ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କ ଉପରେ ପ୍ରଭାବ ପଡ଼ିବ କି? ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ(୬୩)ଙ୍କ ମୃତ୍ୟୁ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ରଇସୀଙ୍କ ବ୍ୟତୀତ ବିଦେଶ ମନ୍ତ୍ରୀ ହୁସେନ ଅମୀର ଅବ୍ଦୁଲ୍ଲାହିୟନ, ପୂର୍ବ ଅଜରବୈଜାନ ରାଜ୍ୟର ଗଭର୍ଣ୍ଣର ମାଲେକ ରହମତୀ ଓ ଆଧ୍ୟାତ୍ମିକ ତୋ ମହମ୍ମଦ ଅଲୀ ଆଲେ-ହାଶେମଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ୪ ଜଣ ଗୋଟିଏ ହେଲିକପ୍ଟରରେ ଥିଲେ। ଇରାନର ଏକ ଟିଭି ଚ୍ୟାନେଲରେ ପୋଷ୍ଟ ହୋଇଛି ଯେ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଚିହ୍ନଟ ହୋଇଛି। ହେଲିକପ୍ଟରରୁ କୌଣସି ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନାହିଁ। ଖରାପ ପାଗ ଯୋଗଁ ପାହାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଉଦ୍ଧାରକାରୀ ଟିମ ରାଷ୍ଟ୍ରପତିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଅଂଶବିଶେଷ ଚିହ୍ନିଥିଲେ। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା।

Related Articles

Back to top button