କାଲି ସଂସଦର ବର୍ଷାକାଳୀନ ଅଧିବେଶନ, ସରକାର ଡାକିଲେ ସର୍ବଦଳୀୟ ବୈଠକ

ଆସନ୍ତାକାଲି ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସରକାର ଆଜି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ଅଧିବେଶନ କାଳରେ ଉଭୟ ସଭାଗୃହକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ସହଯୋଗ ଲୋଡିବା ସକାଶେ ସରକାର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତାକାଲି ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କେୟା ନାଇଡୁ ରାଜ୍ୟସଭାରେ ବିଭିନ୍ନ ଦଳର ନେତାମାନଙ୍କର ଏକ ବୈଠକ ଡକାଇଛନ୍ତି।

ଗତକାଲି ବାଚସ୍ପତି ଓମ୍‍ ବିର୍ଲା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଏକ ବୈଠକ ଡକାଇଥିଲେ। ସଭାକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବା ସକାଶେ ରାଜନୈତିକ ଦଳର ନେତାମାନେ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ବର୍ଷାକାଳୀନ ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେସନ କାଳରେ ସଭାକାର୍ଯ୍ୟ ୧୮ ଦିନ ବସିବ।

ଏହି ଅଧିବେଶନ କାଳରେ ଦରଦାମ ବୃଦ୍ଧି, ଅଗ୍ନିପଥ ଯୋଜନା ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ନେଇ ବିରୋଧୀଦଳ ସରକାରଙ୍କୁ ଘେରିବା ଅନୁମାନ କରାଯାଉଛି। ପରିବାର ଅଦାଲତ ସଂଶୋଧନ ବିଲ୍‍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‍ ଏବଂ ପ୍ରେସ୍‍ ଓ ସାମୟିକ ପତ୍ରିକା ପଞ୍ଜିକରଣ ବିଲ୍‍ ଆଦି ବର୍ଷାକାଳୀନ ଅଧିବେଶନରେ ଆଗତ କରାଯିବାର କାର୍ଯ୍ୟସୂଚୀ ରହିଛି।

Related Articles

Back to top button