ବଟି ଆଦାୟ ମାମଲାରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିଆଜ ଭାଟ୍ଟି ଗିରଫ

ମୁମ୍ବାଇ: ବଟି ଆଦାୟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ଗିରଫ । ସୋମବାର ମୁମ୍ବାଇ ପୋଲିସର ଆଣ୍ଟି ଏକ୍ସୋଟରସନ ସେଲ୍ ଅନ୍ଧେରୀ ୱେଷ୍ଟ ଅଞ୍ଚଳରୁ ଦାଉଦର ସହଯୋଗୀ ବ୍ୟବସାୟୀ ରିଆଜ ଭାଟ୍ଟିକୁ ଗିରଫ କରିଛି । ମୁମ୍ବାଇ ଭର୍ସୋଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ରିଆଜ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି ।

ଅଭିଯୋଗ ମୁତାବକ, ରିଆଜ ଭାଟ୍ଟି ନିଜ ସହଯୋଗୀ ଇକବାଲ କ୍ୟୁରେସି ଓରଫ ସଲିମ ଫ୍ରୁଟ ସହ ଭର୍ସୋଭା ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ତାଙ୍କ ଠାରୁ ୩୦ ଲକ୍ଷ ମୂଲ୍ୟର ଗୋଟିଏ କାର, ସାଢେ ୭ ଲକ୍ଷ ଟଙ୍କା ବଟି ଆଦାୟ କରିଥିଲେ । ଏନେଇ ଦୁହିଁଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରିଛି । କହିରଖୁଛୁ କି, ସଲିମ ଫ୍ରୁଟ ଦାଉଦ ଇବ୍ରାହିମର ସହଯୋଗୀ ଛୋଟା ଶକୀଲର ସମ୍ପର୍କୀୟ ଅଟେ । ପୂର୍ବରୁ ତାକୁ NIA ଗିରଫ କରିସାରିଛି । ବର୍ତ୍ତମାନ ରିଆଜ ଭାଟ୍ଟିକୁ ଗିରଫ ପରେ ମୁମ୍ବାଇ ପୋଲିସ ତାଙ୍କୁ ପଚରାଉଚରା କରୁଛି । ଆଜି ପୋଲିସ ଅଭିଯୁକ୍ତ ଭାଟ୍ଟିକୁ କୋର୍ଟରେ ହାଜର କରି ରିମାଣ୍ଡ ଆବେଦନ କରିବା ବୋଲି ସୂଚନା ମିଳିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ତେବେ ପୂର୍ବରୁ ମଧ୍ୟ ରିଆଜ ଭାଟ୍ଟି ଅନେକ ଅପରାଧିକ ମାମଲାରେ ଗିରଫ ହୋଇଥିଲା । ବଟି ଆଦାୟ, ଜମି ହଡପ ଏବଂ ଗୁଳିମାଡ ଭଳି ଅନେକ ଅଭିଯୋଗ ତା’ ବିରୁଦ୍ଧରେ ରହିଛି । ଏହାସହିତ ୨୦୧୫ ଏବଂ ୨୦୨୦ରେ ଜାଲି ପାସପୋର୍ଟ ଜରିଆରେ ବିଦେଶ ପଳାୟନ କରିଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଛୋଟା ଶକୀଲର ଭିଣୋଇ ସଲିମ୍ ଫ୍ରୁଟ ଗିରଫ କରିଥିଲା ।

Related Articles

Back to top button