ନର୍ଗେସ୍‌ ମହମ୍ମଦି ଜିତିଲେ ନୋବେଲ୍‌ ଶାନ୍ତି ପୁରସ୍କାର

ଶାନ୍ତିର ନୋବେଲ୍‌ ପୁରସ୍କାର ଜିତିଛନ୍ତି ନର୍ଗେସ୍‌ ମହମ୍ମଦି। ଇରାନ୍‌ରେ ମହିଳାଙ୍କ ପ୍ରତି ଉତ୍ପୀଡ଼ନ ବିରୋଧରେ ଲଢ଼େଇ ତଥା ସମସ୍ତଙ୍କ ପାଇଁ ମାନବ ଅଧିକାର ଏବଂ ସ୍ୱତନ୍ତ୍ରତାକୁ ପ୍ରୋତ୍ସାହନ ଦେବାରେ ତାଙ୍କର ପ୍ରୟାସ ପାଇଁ ନର୍ଗେସ୍‌ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ୨୦୨୩ ପ୍ରଦାନ କରାଯିବ।

ନର୍ଗେସ୍‌ ମହମ୍ମଦି ଜଣେ ଇରାନୀ ମାନବାଧିକାର କାର୍ଯ୍ୟକର୍ତ୍ତା ଏବଂ ଡିଫେଣ୍ଡର ଅଫ୍‌ ହ୍ୟୁମାନ ରାଇଟ୍ସ ସେଣ୍ଟରର ଉପାଧ୍ୟକ୍ଷା। ସେ ଇରାନରେ ଡେଥ୍‌ ପେନାଲ୍ଟି ଶେଷ କରିବା ତଥା କଏଦୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓକିଲ ରହିଆସିଛନ୍ତି। ମହମ୍ମଦିଙ୍କୁ ନିଜର ମାନବାଧିକାର କାର୍ଯ୍ୟ ଯୋଗୁ ଅନେକ ବାର ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି। ଜୀବନରେ ଅନେକ ଚ୍ୟାଲେଞ୍ଜ୍‌ ତଥା ଜେଲ୍‌କୁ ସାମ୍ନା କରିବା ସତ୍ତ୍ୱେ ମହମ୍ମଦି ଇରାନରେ ମାନବାଧିକାର ଏବଂ ଲୋକତନ୍ତ୍ର ପାଇଁ ଲଢ଼େଇ ଲଢ଼ିଛନ୍ତି।

ସେହିପରି ସାହିତ୍ୟରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ନରୱେର ଲେଖକ ଜନ୍‌ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ। ୩ ବୈଜ୍ଞାନିକ ହେଲେ, ମେସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ମୋଉଙ୍ଗୀ ବାେଓ୍ଵଣ୍ଡି, କଲମ୍ବିଆ ବିଶ୍ୱବିଦ୍ୟାଳୟର ଲୁଇସ୍‌ ବ୍ରୁସ୍‌ ଏବଂ ନାନୋକ୍ରିଷ୍ଟାଲ୍‌ ଟେକ୍ନୋଲୋଜି ଇଙ୍କ୍‌ର ଆଲୋକ୍ସି ଏକିମୋଭ। ଏଥି ପୂର୍ବରୁ ଭୌତିକ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇସାରିଛି।

 

Related Articles

Back to top button