କେଜ୍ରିଓ୍ଵାଲଙ୍କ ଶୁଭେଚ୍ଛାର ଜବାବରେ ସରକାରଙ୍କ ପକ୍ଷରୁ ସହାୟତା ମିଳି ନଥିବା ପ୍ରସଙ୍ଗ ଉଠାଇଛନ୍ତି ଦିବ୍ୟା କାକରାନ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ପହିଲମାନ ଦମଦାର ପ୍ରଦର୍ଶନ କରି ୬ ସ୍ଵର୍ଣ୍ଣ ସହ ୧୨ ପଦକ ଜିତି ସାରିଛନ୍ତି। ଏହି ସମୟରେ ମହିଳା ପହିଲମାନ ଦିବ୍ୟା କାକରାନ କାଂସ୍ୟ ପଦକ ଜିତିଛନ୍ତି। ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କାକରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ କେଜ୍ରିଓ୍ଵାଲଙ୍କ ଶୁଭେଚ୍ଛାର ଜବାବରେ ତାଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ପୁରସ୍କାର ରାଶି କିମ୍ବା ସହାୟତା ମିଳିନଥିବା ପ୍ରସଙ୍ଗ ଉଠାଇଛନ୍ତି। ଭାରତୀୟ ଯୁବ ପହିଲମାନ ଦିବ୍ୟା ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା କୁସ୍ତି ପ୍ରତିଯୋଗିତାର ୬୮ କିଗ୍ରା  ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଏଥିପାଇଁ ତାଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଥିଲେ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ଦିବ୍ୟା କାକରାନ ରବିବାର ଗୋଟିଏ ପରେ ଗୋଟିଏ ଟୁଇଟ୍ କହିଛନ୍ତି, ପଦକ ଜିତିବା ନେଇ ଶୁଭେଚ୍ଛା ଜଣାଇଥିବାରୁ ଦିଲ୍ଲୀର ମାନନୀୟ ମୁଖ୍ୟମନ୍ତ୍ରୀ ଜୀଙ୍କୁ ହୃଦୟରୁ ଧନ୍ୟବାଦ। ମୋର ଆପଣଙ୍କୁ ଗୋଟିଏ ନିବେଦନ, ମୁଁ ଗତ ୨୦ ବର୍ଷ ଧରି ଦିଲ୍ଲୀରେ ରହୁଛି ଏବଂ ଏଠାରେ ହିଁ ନିଜ ଖେଳ କୁସ୍ତିର ଅଭ୍ୟାସ୍ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ମୋତେ ରାଜ୍ୟ ସରକାରଙ୍କ ତରଫରୁ ନା କୌଣସି ପୁରସ୍କାର ରାଶି ମିଳିଛି ନା କୌଣସି ସହାୟତା। ମୁଁ ଆପଣଙ୍କୁ ଏମିତି ନିବେଦନ କରୁଛି ଯେ, ଯେଉଁଭଳି ଆପଣ ଅନ୍ୟ ଖେଳାଳିଙ୍କୁ ସମ୍ମାନିତ କରୁଛନ୍ତି ଯେଉଁମାନେ ଦିଲ୍ଲୀର ହୋଇ ଅନ୍ୟ ରାଜ୍ୟରୁ ଖେଳୁଛନ୍ତି, ଠିକ୍ ସେହି ପରି ମୋତେ ସମ୍ମାନିତ କରନ୍ତୁ।

Related Articles

Back to top button