୨,୦୦୦ ଟଙ୍କିଆ ନୋଟ ବ୍ୟାଙ୍କରେ ବଦଳାଇବା ପାଇଁ କୌଣସି ଫର୍ମ କିମ୍ବା ପରିଚୟ ପତ୍ର ଦରକାର ନାହିଁ

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟର ବ୍ୟବହାର ବନ୍ଦ କରିବା ପାଇଁ ଗତ ୨୦ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିଷ୍ପତ୍ତି ନେଇଥିଲା । ଏଥିସହିତ ଲୋକମାନେ ମେ ମାସ ୨୩ରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଥିଲା ଏକ ବଡ଼ ଖବର । ଏହି ନୋଟକୁ ବଦଳାଇବାକୁ ହେଲେ ଗ୍ରାହକଙ୍କୁ ବ୍ୟାଙ୍କରେ ଫର୍ମ ପୂରଣ କରିବାକୁ ପଡ଼ିବ ବୋଲି ସୋସିଆଲ ମିଡ଼ିଆରେ କିଛି ତଥ୍ୟ ଭାଇରାଲ ହୋଇଥିଲା ।

ତେବେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ୨୦୦୦ ଟଙ୍କିଆ ନୋଟକୁ ବଦଳାଇବା ପାଇଁ କୌଣସି ଫର୍ମ ଭରିବାକୁ ପଡ଼ିବ ନାହିଁ । ଏଥିସହିତ କୌଣସି ପରିଚୟ ପତ୍ରର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ବ୍ୟାଙ୍କରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ ସହଜରେ ଏକ୍ସଚେଞ୍ଜ କରାଯାଇ ପାରିବ ବୋଲି ଏସବିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।

ସାରା ଦେଶରେ ଆରବିଆଇର ୩୧ଟି ସ୍ଥାନରେ ଆଞ୍ଚଳିକ ଅଫିସ ରହିଛି । ଆପଣମାନେ ଅହମ୍ମଦାବ, ବେଙ୍ଗାଲୁରୁ, ଭୁବନେଶ୍ୱର, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗୁଆହାଟୀ, କାନପୁର, ମୁମ୍ବାଇ, ନାଗପୁର, ପାଟନା ଆଦି ଶାଖାରେ ନୋଟ ବଦଳାଇ ପାରିବେ । ତେବେ ଡିପୋଜିଟକୁ ନେଇ ଯାହା ବ୍ୟାଙ୍କିଂ ନିୟମ ରହିଛି ତାହାକୁ ଗ୍ରାହକଙ୍କୁ ପାଳନ କରିବାକୁ ପଡ଼ିବ ।

ଏଥିସହିତ ଯଦି ଆପଣମାନେ ଗ୍ରାମାଞ୍ଚଳରେ ରହୁଛନ୍ତି, ତେବେ ବିଜିନେସ କରେସପଣ୍ଡେଣ୍ଟ କେନ୍ଦ୍ରକୁ ଯାଇ ୨୦୦୦ ଟଙ୍କିଆ ନୋଟକୁ ମଧ୍ୟ ବଦଳାଇ ପାରିବେ । ମାତ୍ର ଉକ୍ତ କେନ୍ଦ୍ରରେ କେବଳ ୪୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ବଦଳାଇ ପାରିବେ । ବିଜିନେସ କରେସପଣ୍ଡେଣ୍ଟ ଏକ ବ୍ୟାଙ୍କ ଭଳି କାର୍ଯ୍ୟ କରିବା ସହ ଗ୍ରାମ୍ୟ ବ୍ୟାଙ୍କକୁ ସହାୟତା ପ୍ରଦାନ କରିଥାଏ ଓ ଟ୍ରାଞ୍ଜାକସନ ମଧ୍ୟ କରିଥାଏ ।

Related Articles

Back to top button