ଆସନ୍ତାକାଲି ସକାଳ ୯:୫୦ ସମୟରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ କରିବ । ତେବେ ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରେ କିଛି ନୂଆ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ । ଏଥିସହିତ ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦଳ ତା’ର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ କରିବା ଆରମ୍ଭ କରିଦେଇଛି । ନିକଟରେ ରାଜ୍ୟର ଦୁଇଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତାଫା ଦେବା ପରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଚର୍ଚ୍ଚା ଜୋର ଧରିଥିଲା ।

ତେବେ ସୂଚନା ମୁତାବକ, ଆସନ୍ତା କାଲି ରାଜ୍ୟର ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ସକାଳ ୯.୫୦ ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶପଥପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏ ବାବଦରେ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଗତ ୧୨ ତାରିଖରେ ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତୁ ସାହୁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ରାଜ୍ୟରେ ତିନିଜଣ ବରିଷ୍ଠ ରାଜନେତାଙ୍କ ଇସ୍ତଫାକୁ ନେଇ ହଠାତ୍ ରାଜ୍ୟ ପାୱାର କରିଡର ଚଳଚଞ୍ଚଳ ହୋଇ ଉଠିଥିଲା । ତେବେ କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ସେନେଇ ଆଶାୟୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳିଛି ।

Related Articles

Back to top button