ଏନଆରଆଇ ଆକାଉଣ୍ଟ ଜରିଆରେ ଦେଶରେ ପିଏଫଆଇ ଆକାଉଣ୍ଟକୁ ଆସୁଥିଲା ଆତଙ୍କବାଦ ପାଣ୍ଠି: ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି  (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କବାଦ ପାଣ୍ଠି ସମ୍ବନ୍ଧରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ସାରା ଦେଶରେ ଥିବା ଅନେକ ଅଫିସରେ ରେଡ୍ କରିଛି । ଏଥିସହିତ ପିଏଫଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ତଦନ୍ତ କରି ଜାଣିବାକୁ ପାଇଛି ଯେ ବିଦେଶରେ ରହୁଥିବା ପିଏଫଆଇର କିଛି ସଦସ୍ୟ ଭାରତରେ ଏନଆରଆଇ କୋଟାରେ ରହୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ପାଣ୍ଠି ଯୋଗାଉଛନ୍ତି। ଯାହା ପରବର୍ତ୍ତୀ ସମୟରେ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତିର ବ୍ୟାଙ୍କ ଖାତାକୁ ଯାଉଛି।

କୁହାଯାଉଛି ଯେ ଏହାର ଉଦ୍ଦେଶ୍ୟ ବିଦେଶୀ ପାଣ୍ଠି ସହ ଜଡିତ ଆଇନକୁ ଏଡାଇବା। ଏନଆଇଏ ପିଏଫଆଇ ବିରୋଧରେ ସାରା ଦେଶରେ ଚଢାଉ କରି ଚାରି ସଦସ୍ୟଙ୍କୁ ଗିରଫ କରିଥିଲା।

ଇଡି ଏହା ମଧ୍ୟ କହିଛି ଯେ ପିଏଫଆଇ /ସିଏଫଆଇର ସଦସ୍ୟ, ବିଭିନ୍ନ ସଂଗଠନ ଜରିଆରେ ଆକାଉଣ୍ଟ ମାଧ୍ୟମରେ ଏହି ପାଣ୍ଠି ପଠାଉଛି। ବିଦେଶରୁ ମିଳୁଥିବା ପାଣ୍ଠି କିଏ ଯୋଗାଡ କରୁଛି ସେ ନେଇ ତଦନ୍ତ ଅଧିକାରୀ ଜାଣିବାକୁ ଚେଷ୍ଟା କରୁଛି। ସରକାରଙ୍କୁ ଲୁଚାଇ ଯେଉଁଭଳି ଆର୍ଥିକ ସହାୟତା ମିଳିଛି ତାହା ଏଫସିଆରଏ ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇ ନ ଥିବାରୁ ଏଭଳି ପାଣ୍ଠି ଏବଂ ଦାନ ସଂଗ୍ରହ ବେଆଇନ।

ଉଲ୍ଲେଖଯୋଗ୍ୟ, ଏନ୍ଆଇଏ ୨୨ ସେପ୍ଟେମ୍ବରରେ ସାରା ଦେଶର ୧୫ଟି ରାଜ୍ୟରେ ସବୁଠାରୁ ବଡ ସର୍ଚ୍ଚ ଅପରେସନ୍ କରିଥିଲା । ଯାହାକି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଅର୍ଥାତ୍ ପିଏଫଆଇ ବିରୋଧରେ ଥିଲା। ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନରେ ଏନଆଇଏ ବିପୁଳ ନଗଦ ଟଙ୍କା, ଡିଜିଟାଲ ଉପକରଣ, ଆପତ୍ତିଜନକ ଡକ୍ୟୁମେଣ୍ଟ ଏବଂ ଅସ୍ତ୍ରଶସ୍ତ ଜବତ କରିଛି। ପରେ ଏପରି ରେଡକୁ ବିରୋଧ କରି ଗତକାଲି କେରଳରେ ଦିନିକିଆ ବନ୍ଦ ପାଳନ ହୋଇଥିଲା।

Related Articles

Back to top button