ଦେଶରେ ଆରମ୍ଭ ହେଲା ୫ଜି ସେବା, ପ୍ରଗତି ମୈଦାନରୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରତୀକ୍ଷାର ଘଟିଲା ଅନ୍ତ । ଆଜିଠୁ ଭାରତରେ ଆରମ୍ଭ ହେଲା 5G ଯୁଗ । ଆଜି ଦିନ ୧୦ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନର ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5G ସେବାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ସେବା ମିଳିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ହାଇସ୍ପିଡ 5G ସେବା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ 5G ଇଣ୍ଟରନେଟ୍ ସେବା ସହ ଯୋଡି ହେବାକୁ ଥିବା ୧୩ଟି ସହର ଗୁଡ଼ିକ ମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେ ରହିଛି ।

ଏହି 5G ସେବା 4G ମୋବାଇଲ ସେବାଠାରୁ ପ୍ରାୟ ୧୦ ଗୁଣା ଅଧିକ ରହିବ । ସେହିପରି 3G ଠାରୁ ୩୦ ଗୁଣା ସେବା ଯୋଗାଇବ । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ଆଶା କରାଯାଉଛି । 5G ସେବା ଦ୍ବାରା ଅବାଧ କଭରେଜ, ହାଇସ୍ପିଡ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ବସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ବାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ । 2G ନେଟୱାର୍କରେ ଯେଉଁ ଫାଇଲ ଡାଉନଲୋଡ ପାଇଁ ଦୁଇ ଦିନ ୮ ଘଣ୍ଟା ସମୟ ଲାଗୁଥିଲା, 3G ନେଟୱାର୍କରେ ଦୁଇ ଘଣ୍ଟା ଏବଂ 4G ୪୦ ମିନିଟ୍ ଲାଗୁଥିଲା, 5Gରେ ତାହା ଡାଉନଲୋଡ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଦୁଇ ଦେଶ ମଧ୍ୟରେ ଦେଶବ୍ୟାପୀ 5G ସେବା ମିଳିବ ବୋଲି ପୂର୍ବରୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ ।

ନିକଟରେ ଭାରତ ସରକାର 5G ସ୍ପେକ୍ଟ୍ରମର ନିଲାମ ପ୍ରକ୍ରିୟା ଶେଷ କରିଥିଲେ । 5G ନିଲାମର ମୂଲ୍ୟ ଦେଢ ଲକ୍ଷ କୋଟି ରହିଥିଲା । ଏହି ନିଲାମ ପ୍ରକ୍ରିୟାରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ମଧ୍ୟ ଯୋଗ ଦେଇଥିଲେ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ 5G ନେଟୱର୍କର ଦର ପ୍ରତିଯୋଗିତାମୂଳକ ରହିଥିଲା ।

Related Articles

Back to top button