ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନ କାଳରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ ୧୨।୭:  ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ। ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ଲାଗି ସରକାର ଜୁଲାଇ ୧୭ ତାରିଖରେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସର୍ବଦଳୀୟ ବୈଠକ ନିମନ୍ତେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ଦଳର ସାଂସଦଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ସଂସଦର ଚଳିତ ଅଧିବେଶନକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଅଧିବେଶନ କାଳରେ ଦେଶକୁ ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମିଳିବେ।

ବୈଠକରେ ଶାସକ ଓ ବିରୋଧୀ ଦଳଙ୍କ ଚିନ୍ତା ଉପରେ ଆଲୋଚନା ହେବ ଓ ଅଧିବେଶନ କାଳରେ ଉତ୍ପାଦକତା ଯେପରି ଅଧିକ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଅଧିବେଶନ କାଳରେ ବିରୋଧୀ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ଚାହୁଁଛନ୍ତି ସେନେଇ ଚର୍ଚ୍ଚା କରାଯିବ। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ଏହି ଅଧିବେଶନ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହରେ ଉପସ୍ଥାପିତ ହେବ।

ସଂସଦର ମୌସୁମୀ ଅଧିବେଶନ କାଳରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ପଦବୀ ନିମନ୍ତେ ଅଧିବେଶନ ଆରମ୍ଭ ଦିନ ଅର୍ଥା ଜୁଲାଇ ୧୮ ତାରିଖ ସୋମବାର ଭୋଟ ଗ୍ରହଣ ହେବ। ଜୁଲାଇ ୨୧ ତାରିଖ ଦିନ ଭୋଟ ଗଣନା ହେବାକୁ ଥିବା ବେଳେ ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ସେହିପରି ସଂସଦ ଅଧିବେଶନ କାଳରେ ଅଗଷ୍ଟ ୬ ତାରିଖ ଦିନ ଉପରାଷ୍ଟ୍ରପତି ନିର୍ବାଚନ ହେବ।

Related Articles

Back to top button