ସୁରକ୍ଷିତ ଦେଶ ବାହାରକୁ ନ ଛାଡ଼ିଲେ ଇସ୍ତଫା ଦେବିନି : ଗୋଟାବାୟା

କଲମ୍ବୋ : ଇସ୍ତଫା ଦେବା ପ୍ରସଙ୍ଗରେ ‘ୟୁ’ ଟର୍ଣ୍ଣ ନେଇଛନ୍ତି ଶ୍ରଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ସେ ଓ ତାଙ୍କ ପରିବାରକୁ ସୁରକ୍ଷିତ ବିଦେଶ ଯିବାକୁ ନଦେଲେ ସେ ଇସ୍ତଫା ଦେବେ ନାହିଁ ବୋଲି ଆଲୋଚନା ହେଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କର ଏହି ସର୍ତ୍ତ ସଂପର୍କରେ ସେ ବିରୋଧୀ ଦଳକୁ ଜଣାଇଦେଇଛନ୍ତି । କିନ୍ତୁ ତାଙ୍କ ସର୍ତ୍ତରେ ବିରୋଧୀ ଦଳମାନେ ରାଜି ହେଉନଥିବା କୁହାଯାଉଛି । ଜୁଲାଇ ୧୩ରେ ସେ ଇସ୍ତଫା ଦେବାକୁ ପୂର୍ବରୁ ଘୋଷଣା କରିଥିବାବେଳେ ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଆଜି ଗୋଟାବାୟାଙ୍କ ଭାଇ ତଥା ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷେ ଦୁବାଇ ପଳାଇଯାଉଥିବାବେଳେ ତାଙ୍କୁ ଏୟାରପୋର୍ଟରେ ଅଟକାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁଁ ଏହି ଦେଶର ଶାସନ ବ୍ୟବସ୍ଥା ଭୁସୁଡ଼ି ପଡ଼ିଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି । ଗତ ସପ୍ତାହରେ ଉଗ୍ର ଜନତା ରାଷ୍ଟ୍ରପତି ଗୋଟାବାୟାଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ । ଏହା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ସରକାର ବାସଭବନରେ ନିଆଁ ଲଗାଇଦେଇଥିଲେ । ଏହା ପରେ ବାଧ୍ୟ ହୋଇ ଇସ୍ତଫା ଦେବାକୁ ରାଜି ହୋଇଥିଲେ ଗୋଟାବାୟା ।

Related Articles

Back to top button