
‘ଟାଇପ୍-୭’ ବଙ୍ଗଳାରେ ହିଁ ରହିବେ ରାଘବ ଚଢା
ଆମ୍ ଆଦମୀ ପାର୍ଟି ର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ରାଘବଙ୍କୁ ବର୍ତ୍ତମାନ ତାଙ୍କ ଟାଇପ୍-୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି। ସରକାରୀ ବଙ୍ଗଳା ଆବଣ୍ଟନ ସମ୍ପର୍କିତ ଆଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ରାଘବ ଚଢା ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ହାଇକୋର୍ଟରେ ଶୁଣାଣି ସମୟରେ ଏଏପି ନେତା ନିଜ ସୁରକ୍ଷା ଏବଂ ଆତଙ୍କବାଦୀ ଧମକ ଦର୍ଶାଇ ନିମ୍ନ ଅଦାଲତଙ୍କ ଆଦେଶକୁ ରଦ୍ଦ କରିବାକୁ ଦାବି କରିଥିଲେ। କହି ରଖୁଛୁ, ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ରାଘବ ଚଢାଙ୍କ ବଙ୍ଗଳାର ଆବଣ୍ଟନ ରଦ୍ଦ କରିବାକୁ ଆଦେଶ ଦେଇଥିଲେ, ଯାହାପରେ ଏଏପି ନେତା ପଟିଆଲା ହାଉସ କୋର୍ଟଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ।
ରାଘବ ଯେତେବେଳେ ରାଜ୍ୟସଭା ସଦସ୍ୟ ହୋଇଥିଲେ, ତାଙ୍କୁ ଏକ ଟାଇପ୍-୬ ବଙ୍ଗଳା ଆବଣ୍ଟିତ କରାଯାଇଥିଲା। ପରେ ସେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ତାଙ୍କୁ ଟାଇପ୍-୭ ବଙ୍ଗଳା ଆବଣ୍ଟନ କରିବାକୁ ଅନୁରୋଧ କରିଥିଲେ। ଏହାପରେ ରାଜ୍ୟସଭା ସଚିବାଳୟ ତାଙ୍କୁ ଟାଇପ୍-୭ ବଙ୍ଗଳା ଦେଇଥିଲେ। ତେବେ ରାଜ୍ୟସଭା ସଚିବାଳୟ ଚଳିତ ବର୍ଷ ରାଘବଙ୍କ ଟାଇପ୍-୭ ବଙ୍ଗଳା ଆବଣ୍ଟନକୁ ରଦ୍ଦ କରିଦେଇଥିଲେ।
ସଚିବାଳୟ ଅନୁଯାୟୀ, ରାଘବ ଟାଇପ୍-୭ ପାଇଁ ଯୋଗ୍ୟତା ପୂରଣ କରି ନ ଥିଲେ, ଯେଉଁଥିପାଇଁ ଆବଣ୍ଟନ ବାତିଲ ହେବାର ନୋଟିସ ଦିଆଯାଇଥିଲା। ଏହାପରେ ରାଘବ କୋର୍ଟ ଯାଇଥିଲେ। ପଟିଆଲା ହାଉସ କୋର୍ଟ, ରାଜ୍ୟସଭା ସଚିବାଳୟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ପଟିଆଲା ହାଉସ କୋର୍ଟରୁ ଝଟ୍କା ପାଇବା ପରେ ରାଘବ ଚଢା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।