ଲକ୍ଷ ଲକ୍ଷ ଦୀପର ଆଲୋକ ଓ ‘ଜୟ ଶ୍ରୀରାମ’ ଧ୍ୱନିରେ କମ୍ପୁଛି ରାମନଗରୀ

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମି ଆଜି ଲକ୍ଷ ଲକ୍ଷ ଦୀପର ଆଲୋକରେ ଆଲୋକିତ ହୋଇ ଉଠିଛି । ପ୍ରଭୂ ଶ୍ରୀରାମଙ୍କ ଆଗମନରେ ଅଯୋଧ୍ୟାରେ ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ଅଯୋଧ୍ୟାର ନିର୍ମାଣାଧୀନ ଶ୍ରୀ ରାମ ମନ୍ଦିରରେ ପାଳନ ମହା ଆଡ଼ମ୍ବରରେ କରାଯାଉଛି ଚଳିତବର୍ଷର ଦୀପୋତ୍ସବ । ‘ଜୟ ଶ୍ରୀରାମ, ଜୟ ଶ୍ରୀରାମ…’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଛି ସାରା ଅଯୋଧ୍ୟା ନଗରୀ । ପ୍ରଭୂ ଶ୍ରୀରାମଙ୍କ ଜନ୍ମସ୍ଥଳୀରେ ୨୨ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ ହେବା ପରେ ଏହା ଗିନିଜ ୱାର୍ଲ୍ଡ ରେକର୍ଡରେ ବିଶ୍ୱ କୀର୍ତ୍ତିମାନ ସୃଷ୍ଟି କରିଛି । ତେଣୁ ଅଯୋଧ୍ୟାରେ ଦୀପାବଳି ସ୍ୱତନ୍ତ୍ର ହୋଇଛି ।

ରିପୋର୍ଟ ଅନୁସାରେ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ଜନ୍ମସ୍ଥଳୀରେ ନୂଆ ବିଶ୍ୱ କୀର୍ତ୍ତିମାନ ସୃଷ୍ଟି ହୋଇଛି । ୨୦୨୩ ଦୀପାବଳି ପର୍ବ ଉପଲକ୍ଷେ ମନ୍ଦିର ପରିସରରେ ୨୨.୨୩ ଲକ୍ଷ ଦୀପ ପ୍ରଜ୍ୱଳନ କରି ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ଇତିହାସ ସୃଷ୍ଟି କରିଛନ୍ତି ଅଯୋଧ୍ୟାବାସୀ । ତେବେ ଗତବର୍ଷ ଏଠାରେ ୧୫.୭୬ ଲକ୍ଷ ଦୀପ ଜାଳିଥିଲେ ଶ୍ରଦ୍ଧାଳୁ । ତେବେ ଦୀପ ପ୍ରଜ୍ୱଳନ ସମୟରେ ସାରା ଅଯୋଧ୍ୟା ନଗରୀରେ କମ୍ପମାନ ହୋଇଛି ‘ଜୟ ଶ୍ରୀରାମ’ ଧ୍ୱନି । ଜୟ ଶ୍ରୀରାମ ନାରା ଦେଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜଣ ଜଣ କରି ୨୨.୨୩ ଲକ୍ଷ ଦୀପ ଜାଳିଛନ୍ତି । ଏହାପରେ ଗିନିଜ ବୁକ ଅଫ୍ ରେକର୍ଡସରେ ଏହି ଘଟଣା ସ୍ଥାନ ପାଇବା ନେଇ ଘୋଷଣା କରାଯାଇଥିଲା । ଏହି ଖୁସି ଖବର ଶୁଣି ପୁଣିଥରେ ସମସ୍ତ ଭକ୍ତ ଏକା ସାଙ୍ଗରେ ‘ଜୟ ଶ୍ରୀରାମ, ଜୟ ଶ୍ରୀରାମ’ ଧ୍ୱନିର ସ୍ଥାନୀୟ ଅଞ୍ଚଳରେ କମ୍ପାଇ ଦେଇଛନ୍ତି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହି ବିଶ୍ୱ କୀର୍ତ୍ତିମାନ ସୃଷ୍ଟି ହୋଇଛି । ଯୋଗୀଙ୍କ ପ୍ରତିବଦ୍ଧତା ଅଯୋଧ୍ୟା ଭଳି ଏକ ପ୍ରାଚୀନ ନଗରୀକୁ ବିଶ୍ୱ ରେକର୍ଡର ଅଧିକାରୀ ଭାବରେ ନୂଆ ପରିଚୟ ପ୍ରଦାନ କରିଛି । ତେବେ ଏହି ରେକର୍ଡ ସୃଷ୍ଟି କରିବାରେ ରାମ ମନୋହର ଲୋହିୟା ଅବଧ ବିଶ୍ୱବିଦ୍ୟାଳୟ ସମେତ ଏହା ସହ ଜଡ଼ିତ ମହାବିଦ୍ୟାଳୟର ଶିକ୍ଷକ, ଇଣ୍ଟର କଲେଜର ଶିକ୍ଷକ ଓ ଛାତ୍ର ଏବଂ ସ୍ୱୟଂସେବା ସଂସ୍ଥା ପ୍ରମୁଖ ଭୂମିକା ତୁଲାଇଛନ୍ତି ।

Related Articles

Back to top button