ଐତିହାସିକ ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି କଟକ ସହର । ଐତିହାସିକ ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ । ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି ।

ଏହା ସହ ଚଳିତ ବର୍ଷ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ କରିବାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିବ । ବୈଷ୍ଣବ ପାଣି ମଞ୍ଚରେ ଓଲିଉଡ କଳାକାର ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ କଳାକାରଙ୍କ ଜଲୱା ଦେଖିବାକୁ ମିଳିବ । ଗୋଟିଏ ସନ୍ଧ୍ୟା କେବଳ ଅକ୍ଷୟ ମହାନ୍ତିଙ୍କ ସଂଗୀତ ପରିବେଷଣ କରାଯିବ ।

ଅସୀମା ପଣ୍ଡା, ହ୍ୟୁମାନ ସାଗର, ଦିପ୍ତୀରେଖା, ସ୍ୱୟଂ ପାଢୀ, ମଣ୍ଟୁ ଛୁରିଆଙ୍କ ଭଳି ଅନେକ କଳାକାରଙ୍କ ଗୀତରେ ଝୁମିବେ ଦର୍ଶକ । ସେହିପରି ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରୁ ହିଁ ଷ୍ଟଲ ପାଇଁ ବ୍ୟବସ୍ୟାୟୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । 900 ଶହ ବ୍ୟବସ୍ୟାୟୀ ମୋଟ 1600 ରୁ ଅଧିକ ପ୍ଲଟ ପାଇଁ ପଞ୍ଜୀକରଣ କରିସାରିଲଣି । ନିଲାମ ପକ୍ରିୟା 6 ଟି ସ୍ଥାନରେ ଚାଲିଥିବା ବେଳେ ଏଥିଲାଗି 10 ଟି ଟିମ୍ କରାଯାଇଛି ।

ଏଥି ମଧ୍ୟରେ ଆଜି ବାଲିଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ଆର୍‌ଡିସି, ଜିଲ୍ଲାପାଳ ଓ ସିଡିଏ ଅଧ୍ୟକ୍ଷା । ବାଲିଯାତ୍ରା ପଡିଆକୁ ଯାଇ ଉଚ୍ଚ ପଦସ୍ଥ ଅଧିକାରୀ ଓ କଟକ ଡିସିପି ପ୍ରସ୍ତୁତି ଅନୁଧ୍ୟାନ କରିଵା ସହ ବାଲିଯାତ୍ରା ପଡିଆକୁ ପ୍ରବେଶ ଓ ପ୍ରସ୍ଥାନ ପଥ କିଭଳି ହେବ ସେ ନେଇ ଆଲୋଚନା କରିଛନ୍ତି ।

ସେହିପରି ଅଧିକ ପାର୍କିଂ ସ୍ଥାନ ପାଇଁ ମଧ୍ୟ ଏହି ସମୀକ୍ଷା ସମୟରେ ଆଲୋଚନା ହୋଇଛି । ଚଳିତ ବର୍ଷ ଓରମାସ୍ ର କଳେବର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ନିର୍ମାଣ କାମର ସମୀକ୍ଷା କରିଛନ୍ତି ଆରଡିସି ଓ ଓରମାସ୍ ଅତିରିକ୍ତ ସିଇଓ । ବାଲିଯାତ୍ରା ସମୟରେ ପଡ଼ିଆରେ ଆବଶ୍ୟକ ପରିମାଣର ପିଇଵା ପାଣି ଯୋଗାଇ ଦେବା ପାଇଁ ଓ୍ବାଟକୋ ପକ୍ଷରୁ କରାଯାଉଥିବା କାମର ମଧ୍ୟ ସମୀକ୍ଷା କରାଯାଇଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ମାସ 27 ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବ । ତେବେ ଚଳିତବର୍ଷ 8 ଦିନ ଧରି ବାଲିଯାତ୍ରା ହେବା ନେଇ ସୂଚନାରହିଛି ।

 

Related Articles

Back to top button