ଭାରତ ଯୋଡୋ ବ୍ୟାନରରେ ସାବରକରଙ୍କ ଫଟୋ, ରାଜନୀତି ଉଷ୍ମ

ଥିରୁଅନନ୍ତପୁରମ: କେରଳରେ ଜାରି ରହିଛି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ । ତେବେ ପ୍ରଥମ ଦିନରୁ ଚର୍ଚ୍ଚା ଓ ବିବାଦରେ ମଧ୍ୟରେ ରହିଥିବା ଏହି ଯାତ୍ରାରେ ଆଉ ଏକ ରୋଚକ ଘଟଣାକ୍ରମ ମଧ୍ୟ ସାମିଲ ହୋଇଛି । କାର୍ଯ୍ୟକ୍ରମ ପାଇଁ କେରଳର ଏର୍ଣ୍ଣାକୁଲମରେ ଲାଗିଥିବା ବ୍ୟାନରରେ ଦେଖିବାକୁ ମିଳିଛି ବିନାୟକ ଦାମୋଦର ସାବରକରଙ୍କ ଫଟୋ ତେବେ ଏନେଇ ରାଜନୀତି ଜୋର ଧରିଛି ।

ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ଏହାକୁ ପ୍ରିଣ୍ଟିଂଜନିତ ତ୍ରୁଟି ବୋଲି କହିଛି । ସୋସିଆଲ ମିଡିଆରେ ଏହି ବ୍ୟାନର ଭାଇରାଲ ହେବା ପରେ ଏହାକୁ ତରବରିଆ ଭାବେ ବଦଳାଇ ଦେଇଛି କଂଗ୍ରେସ । ସ୍ଥାନୀୟ କଂଗ୍ରେସ କର୍ମୀମାନେ ଏହି ବ୍ୟାନରରେ ସାବରକରଙ୍କ ଫଟୋ ଲାଗିଥିବା ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଟାଙ୍ଗୀ ଏହାକୁ ଲୁଚାଇ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ କଂଗ୍ରେସ ପକ୍ଷରୁ ଏହି ବ୍ୟାନରରେ ଏକାଧିକ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ସ୍ଥାନ ପାଇଛି । ତେବେ ବୈଚାରିକ ଭାବେ କଂଗ୍ରେସ ତୀବ୍ର ବିରୋଧ କରି ଆସୁଥିବା ହିନ୍ଦୁବାଦୀ ନେତା ତଥା ବିଜେପି ଓ ଜନସଂଘର ଆଦର୍ଶ ସାବରକରଙ୍କ ଫଟୋ ଏହି ବ୍ୟାନରରେ ଦେଖିବାକୁ ମିଳିଥିଲା । ଏହା ଚର୍ଚ୍ଚାକୁ ଆସିବାର କିଛି ସମୟ ମଧ୍ୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ କଂଗ୍ରେସକୁ ବିଭିନ୍ନ ଆଡୁ ସମାଲୋଚନା ଓ କଟାକ୍ଷ କରାଯାଇଥିଲା । ଦଳ ଏନେଇ କେବଳ ପ୍ରିଣ୍ଟିଂଗତ ତ୍ରୁଟି ବୋଲି କହି ଏଡାଇ ଯାଇଛି ।

କନ୍ୟାକୁମାରୀରୁ ଆରମ୍ଭ ହୋଇ ତାମିଲନାଡୁ ଶେଷ କରି କେରଳରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ପ୍ରଥମ ଦିନରୁ ବିବାଦ ଓ ଚର୍ଚ୍ଚାରେ ରହିଆସିଛି ଏହି ଯାତ୍ରା । କେତେବେଳେ ରାହୁଲ ଗାନ୍ଧୀ ଓ ଫାଦରଙ୍କ ସାକ୍ଷାତକାର ତ କେବେ ରାହୁଲ ପିନ୍ଧିଥିବା ଦାମି ଟି-ସାର୍ଟ ନେଇ ରାହୁଲଙ୍କୁ ସମାଲୋଚନା କରିଛି ବିଜେପି ।

Related Articles

Back to top button