ସିନିୟର ସିଟିଜେନଙ୍କୁ ପୁଣି ମିଳିପାରେ ରେଳ ଭଡ଼ାରେ ରିହାତି, ତେବେ ଏଥର ବୟସ ସୀମାରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ଲାଗି ଖୁସିଖବର। ଲୋକଙ୍କ ଦାବିରେ  ରେଳବାଇ ସିନିୟର ସିଟିଜେନଙ୍କୁ ପୁଣି ଥରେ ଭଡାରେ ରିହାତି ଦେବାକୁ ବିଚାର କରୁଛନ୍ତି। ଯଦି ଏହି ନିୟମ ଲାଗୁ କରାଯାଏ ତେବେ ବରିଷ୍ଠ ନାଗରିକ, ଖେଳାଳି ଓ ଅନ୍ୟ କ୍ୟାଟଗରୀର ଯାତ୍ରୀଙ୍କୁ ପୂର୍ବ ଭଳି ରିହାତି ଟିକେଟ୍ ମିଳିବା ଆରମ୍ଭ ହୋଇଯିବ। ତେବେ ରେଳବାଇ ରିହାତି  ବନ୍ଦକରି ବେଶ୍ ସମାଲୋଚନାର ଶିକାର ହୋଇଥିଲେ।

ବୟସ ସୀମାରେ ହୋଇପାରେ ପରିବର୍ତ୍ତନ
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଟିକେଟ୍ ମୂଲ୍ୟରେ ପୁଣି ଥରେ ରିହାତି ଦେବା ପାଇଁ ରେଳବାଇ ବୟସ ସୀମାରେ ପରିବର୍ତ୍ତନ କରିପାରନ୍ତି। ଆଶା କରାଯାଉଛି ସରକାର ରିହାତି ଭଡାର ସୁବିଧା ୭୦ ବର୍ଷରୁ ଅଧିକ ବୟଷ୍କ ଲୋକଙ୍କ ଲାଗି ଉପଲବ୍ଧ କରିପାରନ୍ତି। ପୂର୍ବରୁ ଏହି ସୁବିଧା ୫୮ ବର୍ଷର ମହିଳା ଓ ୬୦ ବର୍ଷ ପୂରଣ ହୋଇଥିବା ପୁରୁଷଙ୍କୁ ମିଳୁଥିଲା। ୫୮ ବର୍ଷ ବା ଏହାଠାରୁ ଅଧିକ ବୟସ୍କ ମହିଳାଙ୍କୁ ଟିକେଟ୍‌ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଥିବା ବେଳେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପୁରୁଷଙ୍କୁ ୪୦ ପ୍ରତିଶତ ରିହାତି ମିଳୁଥିଲା। ଏହି ରିହାତି ରେଳବାଇଙ୍କ ଯେ କୌଣସି ଶ୍ରେଣୀରେ ମିଳୁଥିଲା।

ତେବେ କରୋନା ଭାଇରସ ମହାମାରୀ ଲାଗି ଟ୍ରେନ ଚଳାଚଳ ବ୍ୟହତ ହୋଇଥିଲା। ପରେ ସ୍ୱତନ୍ତ୍ର ଟ୍ରେନ ଚଳାଯିବା ବେଳେ ପୂର୍ବରୁ ରେଳ ଯାତ୍ରାରେ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ବନ୍ଦ କରିଦିଆଯାଇଥିଲା । ଧିରେ ଧିରେ ଦେଶରେ ଟ୍ରେନ ଚଳାଚଳ ସ୍ୱଭାବିକ ହେଉଥିବା ବେଳେ ରେଳବାଇ ପୂର୍ବର ସୁବିଧା ସୁଯୋଗ ବନ୍ଦ କରିଦେଇଛନ୍ତି। ଏଥିରେ ନିକଟରେ ବରିଷ୍ଠ ନାଗରିକ ଓ ଅନ୍ୟ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ ନାହିଁ ବୋଲି ଘେଷଣା କରିଥିଲେ।

Related Articles

Back to top button