କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା! ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଲଢ଼େଇ ଯେତିକି ସଂଘର୍ଷପୂର୍ଣ୍ଣ ଥିଲା ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମଧ୍ୟ କୌଣସି ଯୁଦ୍ଧ ଠାରୁ କମ୍ ନୁହେଁ । ରାଜ୍ୟରେ କଂଗ୍ରେସକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ଦୁଇ ସାରଥୀ ସିଦ୍ଧରମୈୟା ଓ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି । କର୍ଣ୍ଣ-ଅର୍ଜୁନଙ୍କ ଭଳି ଏହି ଦୁଇ ନେତା ନିଜର ଦକ୍ଷତା ଓ ଲୋକପ୍ରିୟତାରେ କାହାଠାରୁ କମ୍ ନୁହନ୍ତି । ଏହା ମଧ୍ୟରେ ଚାରିଦିନ ବିତିଯାଇଥିଲେ ହେଁ କେନ୍ଦ୍ରୀୟ ନେତୃତ୍ୱ ଏ ପ୍ରସଙ୍ଗରେ ଚୂଡ଼ାନ୍ତି ନିଷ୍ପତ୍ତି ନେଇ ପାରୁନାହାନ୍ତି ।

ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲକାର୍ଜୁନ ଖଡ଼ଗେ ଦୁଇ ନେତାଙ୍କ ସହିତ ଏକାଧିକ ବାର ବୈଠକ କରିଥିଲେ ହେଁ ଦୁଇଜଣ ସହମତି ପ୍ରକାଶ କରୁନାହାନ୍ତି । ୨-୩ ବର୍ଷ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବା ପ୍ରସ୍ତାବକୁ ଦୁହେଁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ଏହା ମଧ୍ୟରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ସୂତ୍ର ମୁତାବକ, ସିଦ୍ଧରମୈୟା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେ ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ । ଏହାପରେ ସେ ଏକା ଶପଥ ନେବେ । ଏନେଇ ଆଜି ରାହୁଲ ଉଭୟ ସିଦ୍ଧରମୈୟା ଓ ଶିବକୁମାରଙ୍କ ସହ ବୈଠକ କରିବେ । ଗୋଟିଏ ପଟେ ଦଳ ବଡ଼ କଷ୍ଟରେ କର୍ଣ୍ଣାଟକ ହାତେଇଥିବା ବେଳେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ଦଳରେ କନ୍ଦଳ ସୃଷ୍ଟି ନହେଉ, ସେନେଇ କଂଗ୍ରେସ ଆଶଙ୍କା ମଧ୍ୟରେ ରହିଛି । ତେଣୁ ହାତେ ମାପି ଚାଖଣ୍ଡେ ନୀତି ଆପଣାଇ ଚାଲୁଛି କଂଗ୍ରେସ ।

Related Articles

Back to top button