୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ତିସ୍ତା ସେତଲବାଦଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏସ୍ଆଇଟି
ଗାନ୍ଧୀନଗର: ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(ଏସ୍ଆଇଟି) ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ବୁଧବାର ଦିନ ତିସ୍ତାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ସେମାନେ ହେଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆରବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ଅଫିସର ସଞ୍ଜୀବ ଭଟ୍ଟ । ଏହି ତିନି ଜଣ ଦଙ୍ଗା ମାମଲାରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫସାଇବାକୁ ଚେଷ୍ଟା କରିଥିବାର ଚାର୍ଜସିଟ୍ରେ ଉଲ୍ଲେଖ ହୋଇଛି ।
୨୦୦୨ ଦଙ୍ଗା ମାମଲାରେ ଏସ୍ଆଇଟି ଏହି ୩ ଜଣଙ୍କ ବିରୋଧରେ ୧୦୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି । ୩ ଜଣ ଅଭିଯୁକ୍ତ ଗୁଜୁରାଟ ଦଙ୍ଗା ମାମଲାରେ ମୋଦୀଙ୍କୁ ଫସାଇବାକୁ ସାଂଘାତିକ ଷଡଯନ୍ତ୍ର ରଚିଥିଲେ ଏବଂ ଏଥିପାଇଁ ଜାଲ ତଥ୍ୟ ଯୋଗାଡ କରିଥିବାର ଅଭିଯୋଗ ରହିଛି ।
୨୦୦୨ ଗୁଜୁରାଟ ଦଙ୍ଗାରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଓ ସେମାନଙ୍କ ବିରୋଧରେ ମିଛ ପ୍ରମାଣ ଯୋଗାଡ଼ କରିବା ଅଭିଯୋଗରେ ତିସ୍ତାଙ୍କୁ ଜୁନ୍ ୨୫ରେ ଗୁଜରାଟ ଏଟିଏସ୍ ଟିମ ଗିରଫ କରିଥିଲା । ଗୁଜୁରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ ଏହି ଅଭିଯୋଗ ରହିଥିବାବେଳେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏବେ ବି ସେ ପୋଲିସ ହେପାଜତରେ ଅଛନ୍ତି । ହେଲେ ଗତ ସେପ୍ଟେମ୍ବର ୨ ତାରିଖରେ ସୁପ୍ରିମକୋର୍ଟ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।
ଏଠାରେ ପ୍ରକାଶଥାଉକି, ତିସ୍ତା ଜଣେ ସାମାଜିକ କର୍ମୀଙ୍କ ସହ ପୂର୍ବତନ ସାମ୍ବାଦିକା ମଧ୍ୟ । ଏହାସହିତ ସେ ଏନ୍ଜିଓ ସଂସ୍ଥା ସିଟିଜେନ ଫର ଜଷ୍ଟିସ ଆଣ୍ଡ ପିସ (ସିଜେପି) ପ୍ରତିଷ୍ଠାତା ଓ ପରିଚାଳନା ମୁଖ୍ୟ । ୨୦୦୨ରେ ଗୁଜୁରାଟରେ ହୋଇଥିବା ଭୟଙ୍କର ଦଙ୍ଗାରେ ପୀଡିତଙ୍କୁ ଆର୍ଥିକ, ଆଇନଗତ ଓ ସାମାଜିକ ସହାୟତା ପାଇଁ ତାଙ୍କ ସଂଗଠନ କାର୍ଯ୍ୟ କରିଥିଲା । ତେବେ ଏହି ଦଙ୍ଗାରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ କିଛି ବରିଷ୍ଠ ରାଜନେତାଙ୍କ ନାମରେ ମାମଲା ଦାଏର କରିଥିଲେ ତିସ୍ତା ଓ ତାଙ୍କ ସଙ୍ଗଠନ । ପରେ ଏହି ମାମଲାରେ ନରେନ୍ଦ୍ର ମୋଦୀଙ୍କୁ କ୍ଲିନଚିଟ୍ ମିଳିଥିଲା । ଏହାପରେ ପୋଲିସକୁ ତିସ୍ତାଙ୍କ ଦ୍ବାରା ପରିଚାଳିତ ସାମାଜିକ ସଂଗଠନ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା ।