ସୌର ଚୁଲା ଲଞ୍ଚ କଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ, ବିନା ଖର୍ଚ୍ଚରେ ୧୦ ବର୍ଷ ଯାଏ କରି ପାରିବେ ରୋଷେଇ

ନୂଆଦିଲ୍ଲୀ: ଏବେ ଘରେ ରୋଷେଇ କରିବା ସହଜ ହେବ। ଦରକାର ପଡିବ ନାହିଁ ଘରୋଇ ଗ୍ୟାସ୍ ଏବଂ ଜାଳେଣି। ବୁଧବାର ଇଣ୍ଡିଆନ ଓଏଲ ଏମିତି ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି ଯାହା ସୌର ଶକ୍ତିରେ ଚାଲିବ। ଏହାକୁ ସୌର ଚୁଲା କୁହାଯାଏ। ରୋଷେଇ କରିବାରେ ଏହା ବେଶ ସହାୟକ ହେବ। ଚୁଲାର ବିଶେଷତ୍ଵ ଏହାକୁ ଚାର୍ଜ କରାଯାଇ ପାରିବ। ଚୁଲାକୁ କିଣିବା ବ୍ୟତୀତ  ରକ୍ଷଣାବେକ୍ଷଣ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ।  ଏଥିରେ ନା ଗ୍ୟାସର ଆବଶ୍ୟକତା ରହିଛି ନା କାଠର।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ପୁରୀ ଏହି ଚୁଲାର  ଲଞ୍ଚ କରିଛନ୍ତି। ଏହାର ନାମ ‘ସୂର୍ଯ୍ୟ ନୂତନ’ ରଖାଯାଇଛି। ସୌର ଶକ୍ତିରେ ଚାଲୁଥିବା ଏହି ସୌର ଚୁଲା ସିଷ୍ଟମକୁ ଇଣ୍ଡିଆନ ଓଏଲର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଟିମ୍ ପ୍ରସ୍ତୁତ କରିଛନ୍ତି। ଏହି କୁକିଂ ସିଷ୍ଟମ ଜରିଆରେ ବିନା ଖର୍ଚ୍ଚରେ ଚାରୋଟି ପରିବାରର ଲୋକଙ୍କ ଟିଫିନ ସହ ମଧ୍ୟାହ୍ନ ଏବଂ ରାତ୍ର ଭୋଜନ ରୋଷେଇ ସହଜରେ କରାଯାଇ ପାରିବ।

ଏହି କୁକିଂ ସିଷ୍ଟମର ମୂଲ୍ୟ ବହୁତ କମ ରହିଛି। ବର୍ତ୍ତମାନ ଏହି ସୂର୍ଯ୍ୟ ନୂତନ ଚୁଲାର ମୂଲ୍ୟ ୧୫ ହଜାର ଟଙ୍କା ରହିଛି। ଆଗାମୀ ସମୟରେ ଏହାର ଚାହିଦା ବଢିଲେ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯିବ। ଏଥିରେ ଚୁଲାର ମୂଲ୍ୟରେ ମଧ୍ୟ  ହ୍ରାସ ଘଟିବ। ଫଳରେ ସାଧାରଣ ଲୋକ ମଧ୍ୟ ଏହାକୁ କିଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାର ଉତ୍ପାଦନରେ ଘରୋଇ କମ୍ପାନୀ ରୁଚି ଦେଖାଇବେ ବୋଲି ଆଶା କରାଯାଉଛି। ଏହି ଚୁଲାର ବୈଧତା ୧୦ ବର୍ଷ ଯାଏଁ ରହିଛି। ଅର୍ଥାତ ଆପଣ ଥରୁଟିଏ କିଣିଲେ ୧୦ ବର୍ଷ ଯାଏଁ ମାଗଣାରେ ରୋଷେଇ କରି ପାରିବେ ବୋଲି ହରଦୀପ ପୁରୀ କହିଛନ୍ତି।

Related Articles

Back to top button