
ଭାରତର ପ୍ରଥମ ସର୍ବବୃହତ୍ ଭାସମାନ ସୌର ପ୍ରକଳ୍ପ
ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ସର୍ବବୃହତ ଭାସମାନ ସୌର ଶକ୍ତି ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହୋଇଛି। କେରଳରେ ଟାଟା ପାୱାର ସୋଲାର ସିଷ୍ଟମ୍ସ ପକ୍ଷରୁ ଏହି ୧୦୧.୬ ମେଗାୱାଟ ପିକ୍ ପ୍ରକଳ୍ପ ସ୍ଥାପିତ ହୋଇଛି। ଏହାକୁ କାୟାମକୁଲମ୍ରେ ୩୫୦ ଏକର ପରିମିତ ଜଳଭାଗରେ ସ୍ଥାପନ କରାଯାଇଛି। ବିଭିନ୍ନ ସ୍ଥାନରେ ଜଳର ଗଭୀରତା ଭିନ୍ନ ଭିନ୍ନ ଥିବା, ଉଚ୍ଚ ସାମୁଦ୍ରିକ ଜୁଆର ଏବଂ ଜଳରେ ମାତ୍ରାଧିକ ଲବଣତା ଭଳି ଅନେକ ପ୍ରତିକୂଳ ପରିସ୍ଥିତି ସତ୍ୱେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଶକ୍ତି କ୍ରୟ ରାଜିନାମା ଅଧୀନରେ ଏହା ପ୍ରଥମ ଭାସମାନ ସୌର ଫଟୋଭୋଲଟାଇକ (ଏଫଏସପିଭି) ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଭାରତର ଦୀର୍ଘସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ସମ୍ପୂର୍ଣ୍ଣ ନୂତନ ଏବଂ ପ୍ରଗତିଶୀଳ ପ୍ରୟାସ ହୋଇଥିବା ଟାଟା ପାୱାର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରବୀର ସିହ୍ନା କହିଛନ୍ତି। ଏଥିରୁ ଉତ୍ପାଦିତ ଶକ୍ତି ଯୋଗାଣ ନିମନ୍ତେ ରାଷ୍ଟ୍ରାୟତ ସଂସ୍ଥା କେରଳ ରାଜ୍ୟ ବିଦ୍ୟୁତ ବୋର୍ଡ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଛି।