ସ୍ପାଇସ୍ ଜେଟ୍ ବିମାନରୁ ଓହ୍ଲାଇ ରନୱେରେ ଚାଲିଲେ ଯାତ୍ରୀ, ଡିଜିସିଏଙ୍କ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ:ସ୍ପାଇସ୍ ଜେଟ୍‌ର ହାଇଦ୍ରାବାଦ-ଦିଲ୍ଲୀ ବିମାନରୁ ଶନିବାର ଓହ୍ଲାଇଥିବା ଅନେକ ଯାତ୍ରୀ ରନୱେରେ ଚାଲି ଚାଲି ବିମାନ ବନ୍ଦରକୁ ମୁହାଁଇଥିଲେ। କାରଣ ଏୟାରଲାଇନ ଯାତ୍ରୀଙ୍କୁ ତୁରନ୍ତ ବସ୍ ଉପଲବ୍ଧ କରିପାରିନଥିଲା। ଦିଲ୍ଲୀ ବିମାନ ବନ୍ଦରରେ ଅବତରଣର ୪୫ ମିନିଟ୍ ପର୍ଯ୍ୟନ୍ତ ବସ୍ ନ ଆସିବାରୁ ଯାତ୍ରୀ ପାଦରେ ଚାଲି ଚାଲି ଟର୍ମିନାଲ ଭବନ ଆଡକୁ ବାହାରିଥିଲେ। ଘଟଣା ଜଣାପଡିବା ପରେ ରବିବାର ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାରେ ସ୍ପାଇସ୍ ଜେଟ୍ ବୟାନ ଜାରି କରିଛନ୍ତି। ବସ୍ ଆସିବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ତେବେ ବସ୍ ଆସିବା ପରେ ସବୁ ଯାତ୍ରୀ ବସ୍‌ରେ ଟର୍ମିନାଲ ଭବନ ପହଞ୍ଚିଥିଲେ। ଏପରିକି ପାଦରେ ଚାଲିଚାଲି ଯାଉଥିବା ଯାତ୍ରୀଙ୍କୁ ମଧ୍ୟ ବସ୍‌ରେ ଉଠା ଯାଇଥିଲା। ବସ୍ ବିଳମ୍ବ ଯୋଗୁ ବିମାନ କମ୍ପାନୀ କର୍ମଚାରୀମାନଙ୍କ ବାରମ୍ବାର ଅନୁରୋଧକୁ ଉପେକ୍ଷା କରି ଯାତ୍ରୀମାନେ ବିମାନରୁ ଓହ୍ଲାଇ ରନୱେରେ ଚାଲିବାକୁ ଲାଗିଥିଲେ ବୋଲି ସ୍ପାଇସ୍ ଜେଟ୍ ପକ୍ଷରୁ ସଫେଇରେ କୁହାଯାଇଛି।

ଦିଲ୍ଲୀ ବିମାନ ବନ୍ଦରର ରନୱେରେ ପାଦରେ ଚାଲିଚାଲି ଯିବାକୁ ଅନୁମତି ନାହିଁ। ଏଣୁ ଯାତ୍ରୀ ଓହ୍ଲାଇ ଚାଲିବା ବିପଦଜନକ ପରିସ୍ଥିତି ସୃଷ୍ଟି କରିଥିଲା। ରନୱେ ସଡକରେ କେବଳ ବାହନଙ୍କ ଲାଗି ଚିହ୍ନିତ ସଡକ ରହିଛି। ଏଣୁ ରନୱେରୁ ଯାତ୍ରୀଙ୍କୁ ଟର୍ମିନାଲ ବିଲ୍ଡିଂକୁ ଆଣିବା ଲାଗି ପ୍ରତ୍ୟେକ ବିମାନ କମ୍ପାନୀଙ୍କ ବସ୍ ରହିଛି। ଡିଜିସିଏ ସ୍ପାଇସ୍ ଜେଟ୍ ଙ୍କ ୫୦ ପ୍ରତିଶତ ଉଡାଣ ବାତିଲ କରିଛନ୍ତି। ନିର୍ଦ୍ଦେଶ ଅନୁସାରେ ସ୍ପାଇସ୍ ଜେଟ୍‌ର ୫୦ ପ୍ରତିଶତ ବିମାନ ଏବେ ଉଡୁ ନାହିଁ।

୧୯ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ସ୍ପାଇସ୍ ଜେଟ୍ ବିମାନମାନଙ୍କରେ ଲଗାତାର ବୈଷୟିକ ତ୍ରୁଟି ଦେଖା ଦେବା ଯୋଗୁ ଡିଜିସିଏ ୮ ସପ୍ତାହ ପର୍ଯ୍ୟନ୍ତ ୫୦ ପ୍ରତିଶତ ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ। ସୂଚନା ଅନୁଯାୟୀ ସ୍ପାଇସ୍ ଜେଟ୍ ହାଇଦ୍ରାବାଦ-ଦିଲ୍ଲୀ ବିମାନ ଶନିବାର ରାତି ୧୧ଟା ୨୪ ମିନିଟ୍‌ରେ ଗନ୍ତବ୍ୟରେ ପହଞ୍ଚିଥିଲା। ବିମାନ ଅବତରଣ କରିବାମାତ୍ରେ ଏକ ବସ୍‌ ପହଞ୍ଚି ଯାଇଥିଲା ଓ କିଛି ଯାତ୍ରୀଙ୍କୁ ଟର୍ମିନାଲ ୩ରେ ପହଞ୍ଚା ଯାଇଥିଲା। ବାକି ଯାତ୍ରୀମାନେ ବିମାନରେ ୪୫ ମିନିଟ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ବସ୍ ନ ଆସିବାରୁ ସେମାନେ ବାଧ୍ୟ ହୋଇ ପାଦରେ ଚାଲିଚାଲି ଟର୍ମିନାଲ ବିଲ୍ଡିଂ ଆଡକୁ ମୁହାଁଇଥିଲେ।

Related Articles

Back to top button