ଆଜିଠାରୁ ଦିଲ୍ଲୀରୁ ଆରମ୍ଭ ‘ଶ୍ରୀଜଗନ୍ନାଥ ଯାତ୍ରା’, ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌

ନୂଆଦିଲ୍ଲୀ,୨୫ା୧: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଆର୍‌ସିଟିସି ଲିଃ ପକ୍ଷରୁ ବୁଧବାରଠାରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ପାଇଁ ଏକ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏହା ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଏବଂ ଐତିହ୍ୟସ୍ଥଳୀକୁ ଯାତ୍ରା କରିବ ବୋଲି ଆଇଆର୍‌ସିଟିସି ପକ୍ଷରୁ କୁହାଯାଇଛି। ବିଶେଷକରି ଏହି ଟ୍ରେନ୍‌ ୮ ଦିନିଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ପର୍ଯ୍ୟଟକମାନେ ଭାରତର ପ୍ରମୁଖ ଧାମ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିପାରିବେ। ଏହାବ୍ୟତୀତ ବାରାଣସୀ, ବୈଦ୍ୟନାଥ ଏବଂ ଗୟା ଭଳି ପ୍ରମୁଖ ସ୍ଥାନ ପର୍ଯ୍ୟଟନରେ ଆକର୍ଷଣୀୟ ହେବ। ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଯାତ୍ରାର ପ୍ରଥମ ରହଣି ବାରାଣସୀ ସହରରେ ହେବ। ସେଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତିସ୍ଥଳ ଆଦି ପରିଦର୍ଶନ କରିପାରିବେ। ବାରାଣସୀ ପରେ ଟ୍ରେନ୍‌ ଝାଡ଼ଖଣ୍ଡର ଯଶିଡିହି ରେଳଷ୍ଟେଶନକୁ ଯାତ୍ରା ଆରମ୍ଭ କରିବ ଏବଂ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିଦର୍ଶନ କରିବା ସୁଯୋଗ ପାଇବେ। ଏହା ପରେ ପରେ ଟ୍ରେନ୍‌ ଯଶିଡିହି ରେଳଷ୍ଟେଶନରୁ ଓଡ଼ିଶାର ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ୨ ରାତି ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ସେହିଭଳି ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଏବଂ ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଦର୍ଶନ କରିବାର ସୁଯୋଗ ପାଇପାରିବେ। ପୁରୀ ପରେ ଗୟା ହେବ ଟ୍ରେନ୍‌ର ଶେଷ ଗନ୍ତବ୍ୟସ୍ଥଳ। ସେଠାରେ ବିଷ୍ଣୁପାଦ ମନ୍ଦିରରେ ଯାତ୍ରାର ସମାପନ ଘଟିବ। ଏହି ୮ ଦିନିଆ ଯାତ୍ରା ଶେଷକରି ଟ୍ରେନ ଫେବୃୟାରୀ ୧ତାରିଖରେ ଦିଲ୍ଲୀରେ ପହଞ୍ଚତ୍ବ। ଅପରପକ୍ଷରେ ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରକ ରେକ୍‌ ବିଶିଷ୍ଟ ଏହି ଟୁରିଷ୍ଟ ଟ୍ରେନ୍‌ ଯାତ୍ରା ସମୟରେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଏଟାୱା, କାନପୁର ଏବଂ ଲକ୍ଷ୍ନୌ ଆଦି ଷ୍ଟେଶନରେ ବୋର୍ଡ ଡି-ବୋର୍ଡର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟୁରିଷ୍ଟ ଟ୍ରେନ୍‌ରେ ୧୧ଟି ୩ୟ ଶ୍ରେଣୀ ଏସି କୋଚ,ଗୋଟିଏ ପାଣ୍ଟ୍ରି କାର ଏବଂ ୨ଟି ଏସ୍‌ଏଲ୍‌ଆର୍‌ ରହିବ। ଉକ୍ତ ଟ୍ରେନ୍‌ରେ ଯାତ୍ରୀମାନଙ୍କ ମନୋରଞ୍ଜନ ଓ ସର୍ବସାଧାରଣ ସୂଚନା ପାଇଁ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ ମଧ୍ୟ ଲଗାଯାଇଛି। ଘରୋଇ ପର୍ଯ୍ୟଟନର ପ୍ରସାର କରିବା ଦିଗରେ ଭାରତ ସରକାରଙ୍କ ‘ଦେଖୋ ଅପ୍‌ନା ଦେଶ’ର ଏକ ଅଂଶ ଭାବେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ପର୍ଯ୍ୟଟକ ପିଛା ୧୭,୬୫୫ ଟଙ୍କା ଠାରୁ ଆରମ୍ଭ ହେଉଛି।

Related Articles

Back to top button