ଇସ୍ତଫା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ଵର: ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସଡିଏ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବ୍ରତ ବାଗଚୀ । ଏନେଇ ଶ୍ରୀ ବାଗଚୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏଥିସହିତ ସେ ବ୍ୟକ୍ତିଗତ କାରଣ ପାଇଁ ଅଧ୍ୟକ୍ଷ ପଦ ଛାଡ଼ିଥିବା କହିଛନ୍ତି ।

ଶ୍ରୀ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ୭ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅଧ୍ୟକ୍ଷ ପଦ ଛାଡ଼ିବା ଅବସରରେ ଶ୍ରୀ ବାଗଚୀ ରାଜ୍ୟର ସରକାରୀ ଅଧିକାରୀଙ୍କ ସହଯୋଗ ଓ ରାଜ୍ୟବାସୀଙ୍କ ଭଲପାଇବାକୁ କେବେ ବି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି । ଅଳକା ଆରୋରା ମିଶ୍ର ବର୍ତ୍ତମାନ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଦାୟିତ୍ୱରେ ରହିଛନ୍ତି । ଶ୍ରୀମତୀ ମିଶ୍ର ଓଏସଡିଏର ନୂଆ ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ବୋଲି ଶ୍ରୀ ବାଗଚୀ କହିଛନ୍ତି ।

ଗତ ବର୍ଷ ଅକ୍ଟୋବର ମାସରେ ଅବସରପ୍ରାପ୍ତ ଆଇଆରପିଏସ ଅଧିକାରୀ ଶ୍ରୀମତୀ ମିଶ୍ରଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଭାବେ ଓଡ଼ିଶା ସରକାର ନିଯୁକ୍ତି ଦେଇଥିଲେ । ସୂଚନାଯୋଗ୍ୟ ଯେ, କୋଭିଡ-୧୯ ମହାମାରୀ ସମୟରେ ଶ୍ରୀ ବାଗଚୀ ରାଜ୍ୟବାସୀଙ୍କୁ ଭାଇରସ୍ ସମ୍ପର୍କିତ ସଠିକ୍ ତଥ୍ୟ ସରଳ ଭାଷାରେ ଉପସ୍ଥାପିତ କରିପାରିଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ଶ୍ରୀ ବାଗଚୀ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ । ରାଜ୍ୟରେ ଏକ କ୍ୟାନସର ହସ୍ପିଟାଲ ଓ ପାଲିଏଭେଟିଭ କେୟାର ସେଣ୍ଟର ସ୍ଥାପନ ନେଇ ଶ୍ରୀ ବାଗଚୀ ୩୪୦ କୋଟି ଟଙ୍କା ଦାନ କରିଥିଲେ । ଶ୍ରୀ ବାଗଚୀ ଜଣେ ଉଦ୍ୟୋଗୀ ହୋଇଥିବା ବେଳେ ସେ ଆଇଟି କମ୍ପାନୀ ମାଇଣ୍ଡଟ୍ରିର ସହପ୍ରତିଷ୍ଠାତା ଅଟନ୍ତି ।

Related Articles

Back to top button