ରୋଷେଇ ଗ୍ୟାସ୍ ଉପରେ ପୁଣି ଆରମ୍ଭ ହୋଇପାରେ ସବସିଡି

ନୂଆଦିଲ୍ଲୀ:  ରୋଷେଇ ଗ୍ୟାସ (ଏଲପିଜି) ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ବଡ଼ ଉପହାର ମିଳିପାରେ। ସରକାର ପୁଣି ଥରେ ଏଲପିଜି ଉପରେ ସବସିଡି ଆରମ୍ଭ କରିପାରନ୍ତି। ୨୦୨୨ରେ ସରକାର ବଜେଟରେ ଏଲପିଜି ଉପରେ ସବସିଡି ପାଖାପାଖି ସମାପ୍ତ କରିଦେଇଥିଲେ। ତେବେ ୨୦୨୩ରେ କେନ୍ଦ୍ର ସରକାର ଏହାକୁ ପୁଣି ଥରେ ଆରମ୍ଭ କରିପାରନ୍ତି।    ଯଦି ସରକାର ଯୋଜନା ପୁଣି ଲାଗୁ କରନ୍ତି ତେବେ ଦେଶର ପ୍ରାୟ ୯ କୋଟି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିପାରନ୍ତା।

ଉଲ୍ଲେଖଯୋଗ୍ୟ ଯେ ଘରୋଇ ଗ୍ୟାସ୍ ସିଲିଣ୍ଡର ସବସିଡି ୨ ବର୍ଷ ପୂର୍ବେ ୨୦୨୦ ମସିହାରେ ସରକାର ବନ୍ଦ କରିଦେଇଥିଲେ। ଜୁନ ୨୦୨୦ରେ ରୋଷେଇ ଗ୍ୟାସ୍ ସବସିଡି ଭାବେ ବ୍ୟାଙ୍କ ଖାତାରେ ସବସିଡି ଟ୍ରାନ୍ସଫର ହୋଇନଥିଲା। ତେବେ ଉଜ୍ଜ୍ୱଳା ଯୋଜନା ଆକାରରେ ଯେଉଁ ଉପଭୋକ୍ତାଙ୍କୁ ଗ୍ୟାସ୍ ସିଲିଣ୍ଡର ଦିଆଯାଇଥିଲା ସେମାନଙ୍କ ଖାତାରେ କେବଳ ୨୦୦ ଟଙ୍କା  ସବସିଡି ଦିଆଯାଉଛି ।

ସରକାର ଏଲପିଜି ସବସିଡି ବନ୍ଦ କରିବା ଯୋଗୁ ୨୦୨୧-୨୨ ଆର୍ଥିକ ବର୍ଷରେ ୧୧,୬୫୪ କୋଟି ସଞ୍ଚୟ କରିଛନ୍ତି। ତେବେ ଏହି ଅବଧିରେ ସରକାର ଉଜ୍ଜ୍ୱଳା ସ୍କିମରେ ଉପଭୋକ୍ତାଙ୍କୁ ୨୪୨ କୋଟି ଟଙ୍କା ସବସିଡି ପ୍ରଦାନ କରିଛନ୍ତି। ଆର୍ଥିକବର୍ଷ ୨୦୨୩ ଲାଗି ବଜେଟରେ କେନ୍ଦ୍ର ସରକାର ସବସିଡି ଲାଗି ୫୮୦୦ କୋଟି ଟଙ୍କାର ବ୍ୟବସ୍ଥା ରଖିଛନ୍ତି। ଏଥିରେ ଘରୋଇ ଉପଯୋଗ ଲାଗି ରୋଷେଇ ଗ୍ୟାସ ଉପରେ ୪ହଜାର କୋଟି ଟଙ୍କାର ଡିବିଟିଏଲ ବ୍ୟବସ୍ଥା କରିଥିବା ବେଳେ ଉଜ୍ଜ୍ୱଳା ଯୋଜନା ଗ୍ରାହକଙ୍କ ଲାଗି ୮୦୦ କୋଟି ଟଙ୍କା ରଖିଛନ୍ତି।

ସାଧାରଣତଃ ଏଲିପିଜି ସବସିଡି ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଦିଆଯାଏ। ଯେଉଁ ଲୋକଙ୍କ ବାର୍ଷିକ ଆୟ ୧୦ଲକ୍ଷ ଟଙ୍କା ବା ଏହାଠୁ ଅଧିକ ସେମାନଙ୍କୁ ସବସିଡି ପ୍ରଦାନ କରାଯାଏନି। ଏହି ବାର୍ଷିକ ଆୟର ଗଣନା ପତି ଓ ପତ୍ନୀଙ୍କ ବାର୍ଷିକ ଆୟକୁ ମିସାଇ ହିସାବ କରାଯାଇଥାଏ। ଭାରତର ସବୁ ରାଜ୍ୟରେ ଏଲପିଜି ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡିର ହିସାବ ଅଲଗା ଅଲଗା। ଏବେ ୧୪.୨ କେଜିର ଘରୋଇ ଏଲପିଜି ୧ ହଜାର ୫୩ ଟଙ୍କାରେ ମିଳୁଛି। ଏପ୍ରିଲ ୨୦୨୨ରୁ ମୂଲ୍ୟରେ ୧୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଜୁନ ୨୦୨୦ରୁ ଏପର୍ଯ୍ୟନ୍ତ ୭୮ ପ୍ରତିଶତ ବୃଦ୍ଧି ହେଲାଣି।

Related Articles

Back to top button