ଶିବସେନାର ଚିହ୍ନ ଉପରେ ନିଷ୍ପତ୍ତି ନେଇପାରିବେ ନିର୍ବାଚନ କମିଶନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶିବସେନା ଦଳର ଚିହ୍ନକୁ ନେଇ ଚାଲିଥିବା ମାମଲାର ଶୁଣାଣି ହୋଇଛି। ଶିବସେନା ଦଳର ଚିହ୍ନ ପ୍ରସଙ୍ଗରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ। ଏ ନେଇ ଆଜି ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ଆଶ୍ବସ୍ତି ଦେଇଛି।

ଆଉ ନିର୍ବାଚନ ଚିହ୍ନ ଉପରେ ରୋକ୍ ଲଗାଇବା ପାଇଁ ଉଦ୍ଧବ ଠାକରେଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଉଦ୍ଧବ ଠାକରେ ଚାହୁଁଥିଲେ ଯେପର୍ଯ୍ୟନ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରକ୍ରିୟା ଉପରେ ବିଚାର ହୋଇନି ସେପର୍ଯ୍ୟନ୍ତ ନିର୍ବାଚନ ଚିହ୍ନ ଉପରେ କୌଣସି ନିଷ୍ପତ୍ତି ନ ନିଅନ୍ତୁ ନିର୍ବାଚନ କମିଶନ। କିନ୍ତୁ କୋର୍ଟ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି।

ଶିବସେନାର ଚିହ୍ନକୁ ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ଉଚିତ ବୋଲି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ କୋର୍ଟରେ ଯୁକ୍ତି ରଖିଥିଲେ। କପିଲ ଶିବଲ ଏବଂ ଅଭିଷେକ ମନୁ ସିଂଭି କୋର୍ଟରେ ପକ୍ଷ ରଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା କରିବା ପ୍ରସଙ୍ଗ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ କୌଣସି ନିଷ୍ପତ୍ତି ନ ନେଇ ନିର୍ବାଚନ ଆୟୋଗ ଚିହ୍ନ ଉପରେ ନିଷ୍ପତ୍ତି ନନେବା ଉଚିତ।

ସେପଟେ ସିନ୍ଦେଙ୍କ ଗୋଷ୍ଠୀର ପକ୍ଷ ରଖିଥିବା ଆଇନଜୀବୀ ନୀରଜ କିଶନ କୌଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ଉପଲବ୍ଧ ତଥ୍ୟ ଆଧାରରେ ଦଳର ନିର୍ବାଚନ ଚିହ୍ନ ଉପରେ ନିଷ୍ପତ୍ତି ନିଅନ୍ତି। ଏହା ହେଉଛି ଆୟୋଗର ସାମ୍ବିଧାନିକ କାର୍ଯ୍ୟ। ଏହାକୁ ଅଟକାଇବା ଉଚିତ୍ ନୁହେଁ।

ସେହିପରି ନିର୍ବାଚନ ଆୟୋଗଙ୍କ ପକ୍ଷ ରଖିଥିବା ଅରବିନ୍ଦ ଦତ୍ତ କହିଛନ୍ତି ଯେ ଆୟୋଗର ଏହା ସାମ୍ବିଧାନିକ ଦାୟିତ୍ବ। ତାଙ୍କୁ ଅଟକାଇବା ଉଚିତ୍ ନୁହେଁ। ଦଳର ଚିହ୍ନ ବାବାଦରେ ନିଷ୍ପତ୍ତି ନେବା ବେଳେ କିଏ ବିଧାୟକ ଏବଂ କିଏ ନୁହଁନ୍ତି ତାହା ନିର୍ବାଚନ କମିଶନ ଦେଖନ୍ତି ନାହିଁ। କେବଳ ଦଳର ସଦସ୍ୟ ହେବା ଯଥେଷ୍ଟ।

ଉଲ୍ଲେଖଯୋଗ୍ୟ, ନିଜକୁ ପ୍ରକୃତ ଶିବସେନାର ନେତା ଭାବରେ ଆବଶ୍ୟକ ତଥ୍ଯ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ତାଙ୍କୁ ଦଳୀୟ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଥିଲେ। ଆୟୋଗ ଏହା ଉପରେ ଉଦ୍ଧବ ଠାକରେଙ୍କଠାରୁ ଉତ୍ତର ମାଗିଥିଲେ । ହେଲେ ସେ ଏହାର ଉତ୍ତର ଦେବା ପରିବର୍ତ୍ତେ ସୁପ୍ରିମକୋର୍ଟଙ୍କ ନିକଟରେ ମାମଲାକୁ ପହଞ୍ଚାଇଥିଲେ। କୋର୍ଟର ଶୁଣାଣି ଚାଲିଥିବାରୁ ନିର୍ବାଚନ ଆୟୋଗ ଏ ନେଇ କୌଣସି ନିଷ୍ପତ୍ତି ନେଇପାରିନଥିଲେ।ଏବେ ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି।

Related Articles

Back to top button