ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ବଲିଉଡ଼ର ଜଣେ ଦକ୍ଷ ଏବଂ ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ (Dadasaheb Phalke Award 2022) । ୬୦ ଓ ୭୦ ଦଶକରେ ହିନ୍ଦୀ ସିନେମାର ରାଜ୍ କରୁଥିବା ଶ୍ରେଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ୩୦ ତାରିଖରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଦାଦାସାହେବ ଫାଲକେ ପୁରସ୍କାର ହେଉଛି ଭାରତୀୟ ସିନେମାରେ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ। ଭାରତୀୟ ସିନେମାରେ ୭୯ ବର୍ଷୀୟ ଆଶାଙ୍କ ଅତୁଳନୀୟ ଅବଦାନ ରହିଛି, ଯେଉଁଥିପାଇଁ ତାଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନୀତ କରାଯିବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଫାଲକେ ପୁରସ୍କାର ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦାଦାସାହେବ ଫାଲକେ କମିଟି ପକ୍ଷରୁ ଅଭିନେତ୍ରୀ ଆଶା ପାରେଖଙ୍କ ନାମ ଚୟନ କରାଯାଇଛି । ଆଶା ଭୋସଲେ, ହେମା ମଲିନୀ, ପୁନମ ଢିଲୋନ, ଉଦିତ ନାରାୟଣ ଏବଂ ଟି.ଏସ୍ ନାଗଭାର୍ନାଙ୍କ ନାମ କିମିଟି ବିଚାରକୁ ଆଣିଥିଲା। କମିଟି ଏକ ବୈଠକ କରି ଚଳିତ ବର୍ଷ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ଏହି ସମସ୍ତ ନାମ ମଧ୍ୟରୁ ଆଶା ପାରେଖଙ୍କ ନାମ ଚୟନ କରିଛି।

୨୨ ବର୍ଷ ପରେ ପ୍ରଥମ କରି କୌଣସି ମହିଳାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି। ଆଶା ଜୀ ୧୬ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ୧୯୯୯ରେ ଆଶାଙ୍କୁ ଶେଷଥର ପାଇଁ ‘ସର୍‌ ଆଖୋଁ ପର୍‌’ଫିଲ୍ମରେ ଦେଖିବାକୁ ମିଳିଥିଲା। ଆଶା ଜୀଙ୍କୁ ଭାରତୀୟ ସିନେମାର ହିଟ୍ ଗାର୍ଲ ନାମରେ ଜାଣୁଥିଲେ। ସେ ୯୫ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।

ଆଶା ପାରେଖ ୨ ଅକ୍ଟୋବର ୧୯୪୨ ରେ ବେଙ୍ଗାଲୋରର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ । ଆଶା ପାରେଖ ୧୯୫୨ ମସିହାରୁ ‘ଆସମାନ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଅଭିନେତ୍ରୀ ଭାବରେ ଆଶା ପାରେଖଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଦିଲ୍ ଦେକେ ଦେଖୋ’, ଯାହା ବହୁତ ସଫଳ ହୋଇଥିଲା । ପ୍ରାୟ ୮୦ ଟି ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ କାମ କରିଥିବା ଆଶା ପାରେଖଙ୍କ ସମସ୍ତ ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​। ଯେଉଁଥିରେ ‘ଜବ୍‌ ପ୍ୟାର କିସି ସେ ହୋତା ହେ’, ‘ଘରାନା’, ‘ଭରୋସା’, ‘ମେରେ ସନମ୍’, ‘ତିସରି ମଞ୍ଜିଲ’, ‘ଦୋ ବଦନ’, ‘ଉପକାର’, ‘ଶିକାର’, ‘ସାଜନ’, ‘ଆନ ମିଲୋ ସଜନା’ ପ୍ରମୁଖ ଅଟେ । ତାଙ୍କ ସିନେ କ୍ୟାରିଅର ମଧ୍ୟରେ ସେ ଦେବାନନ୍ଦ, ରାଜେଶ ଖାନ୍ନା, ଶଶି କପୁର, ଜିତେନ୍ଦ୍ର, ମନୋଜ କୁମାର ଓ ଧର୍ମେନ୍ଦ୍ରଙ୍କ ଭଳି ଅଭିନେତାଙ୍କ ସହ ଅଭିନୟ କରିଛନ୍ତି । ଏହାସହ ସେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମଧ୍ୟ ।

Related Articles

Back to top button