ଟିସିଏସ୍ କମ୍ପାନୀର ଜଣେ ମ୍ୟାନେଜର ଫାଶୀ ଦେଇ କରିଛନ୍ତି ଆତ୍ମହତ୍ୟା

ଆଗ୍ରା ନିବାସୀ ଟିସିଏସ୍ କମ୍ପାନୀର ଜଣେ ମ୍ୟାନେଜର ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ଯନ୍ତ୍ରଣା ବିଷୟରେ କହିଛନ୍ତି। ତାଙ୍କ ପତ୍ନୀ ତାଙ୍କୁ କିଭଳି ନିର୍ଯାତନା ଦେଉଥିଲେ ତାହା ସେ ଭିଡିଓ ମାଧ୍ୟମରେ କହିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି।ଡିଫେନ୍ସ କଲୋନୀ, ସଦର ବାସିନ୍ଦା ମାନବ ଶର୍ମା ମୁମ୍ବଇସ୍ଥିତ ଟିସିଏସ୍ କମ୍ପାନୀରେ ନିଯୁକ୍ତି ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପିତା ନରେନ୍ଦ୍ର ଶର୍ମା ବାୟୁସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ଏବଂ ମାନବ ତାଙ୍କର ଏକମାତ୍ର ପୁଅ ଥିଲେ। ବର୍ଷେ ତଳେ ଅର୍ଥାତ୍‌ ୨୦୨୪ ମସିହା ଜାନୁଆରୀ ୩୦ ତାରିଖରେ ମାନବ ବିବାହ କରିଥିଲେ। ଅଭିଯୋଗ ହୋଇଛି ଯେ, ବିବାହ ପରଠୁ ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ, ସେ ପତ୍ନୀଙ୍କୁ ତାଙ୍କ ସହ ମୁମ୍ବଇ ନେଇ ଯାଇଥିଲେ।

ମାନବଙ୍କ ପିତା ନରେନ୍ଦ୍ର ଶର୍ମା ସଦର ଥାନାରେ ଦାୟର କରିଥିବା ମକଦ୍ଦମା ଅନୁଯାୟୀ, ପୁଅ ତା’ ସହ ବୋହୂକୁ ମୁମ୍ବଇ ନେଇ ଯାଇଥିଲା। ବୋହୂ ତାକୁ ନିର୍ଯାତନା ଦେଉଥିଲେ, ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ, ଯଦ୍ଵାରା ସମ୍ପୂର୍ଣ୍ଣ ପରିବାର ଅସୁବିଧାରେ ପଡ଼ିଥା’ନ୍ତେ। ଅଭିଯୋଗ ହୋଇଛି ଯେ, ବୋହୂ ତାଙ୍କ ପ୍ରେମିକ ସହ କଥା ହେଉଥିଲେ ଏବଂ ତା’ ସହ ରହିବାକୁ ଚାହୁଁଥିଲେ। ଫେବୃଆରୀ ୨୩ରେ ମାନବ ତାଙ୍କ ପତ୍ନୀଙ୍କ ସହ ମୁମ୍ବଇ ଆଗ୍ରା ଆସିଥିଲେ, ଏଠାରୁ ସେ ତାଙ୍କୁ ଛାଡ଼ିବାକୁ ବରହନ ଯାଇଥିଲେ। ବରହନରେ ତାଙ୍କ ଶ୍ଵଶୂରଘର ଲୋକେ ତାଙ୍କୁ ନିର୍ଯାତନା ଦେଇଥିଲେ।ଫେବୃଆରୀ ୨୪ ତାରିଖ ସକାଳେ ମାନବ ଏକ କୋଠରୀ ଭିତରେ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ମଧ୍ୟ କରିଥିଲେ। ସକାଳେ ପରିବାର ଲୋକ ମାନବଙ୍କୁ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।ଜୀବନ ହାରିବା ପୂର୍ବରୁ ମାନବ ୬.୫୭ ମିନିଟ୍‌ର ଏକ ଭିଡିଓ କରିଥିଲେ। ଭିଡିଓରେ ସେ କହୁଛନ୍ତି ଯେ, ପୁରୁଷମାନଙ୍କ ବିଷୟରେ ମଧ୍ୟ ଭାବନ୍ତୁ, ଦୟାକରି ପୁରୁଷଙ୍କ ବିଷୟରେ କେହି ତ ଜଣେ କଥା ହୁଅ। ବିଚରା ବହୁତ ଏକୁଟିଆ ଥାଆନ୍ତି, ପାପା ମମି କ୍ଷମା କରିବ, ଅକ୍କୁ ସରୀ। ମୁଁ ଯିବା ମାତ୍ରେ ସବୁକିଛି ଠିକ୍ ହୋଇଯିବ, ମୋ ଆତ୍ମହତ୍ୟାକୁ ନେଇ ମୋ ପରିବାରକୁ ହଇରାଣ କରିବେ ନାହିଁ।

Related Articles

Back to top button