ଅଗଷ୍ଟ ୧୫ରେ ଲାଲକିଲ୍ଲା ସୁରକ୍ଷା ଲାଗି ମୁତୟନ ହେବେ ୧୦ ହଜାର ସୁରକ୍ଷା କର୍ମୀ

ନୂଆଦିଲ୍ଲୀ: ଚଳିତବର୍ଷ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବ। ସ୍ୱାଧୀନତାକୁ ୭୫ ବର୍ଷ ପୂରଣକୁ ନେଇ ସାରା ଦେଶରେ ଏବେ ହର୍ଷ ଓ ଉଲ୍ଲାସର ପରିବେଶ। ଏହି ଖୁସିର ପରିବେଶରେ ଯେପରି କୌଣସି ପ୍ରକାର ବିଘ୍ନ ନ ଉପୁଜେ ସେଥିଲାଗି ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଚଳିତବର୍ଷ ଲାଲକିଲ୍ଲା ସୁରକ୍ଷା ଲାଗି ୧୦ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ। ଏଣୁ ସ୍ୱାଧୀନତା ଦିବସ ପୂର୍ବରୁ ରାଜାଧାନୀ ଦିଲ୍ଲୀକୁ ଆଲର୍ଟରେ ରଖାଯିବ।

ଦିଲ୍ଲୀ ପୋଲିସ କମିଶନର ସଞ୍ଜାୟ ଆରୋରା ବିଭିନ୍ନ ଗୁଇନ୍ଦା ଏଜେନ୍ସୀ ଓ ସୁରକ୍ଷା ପ୍ରତିଷ୍ଠାନ ମୁଖ୍ୟଙ୍କ ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛନ୍ତି। ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଯେପରି ସାମାନ୍ୟ ଚୁକ୍ ନହୁଏ ସେଥିଲାଗି ପୁରା ଉଦ୍ୟମ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆମ ଦେଶରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି। ଏଣୁ ସମ୍ଭାବିତ ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ସବୁପ୍ରକାର ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।

ଏଥର ସୁରକ୍ଷା ପାଇଁ ଟେକ୍ନୋଲଜିର ସହାୟତା ନିଆଯାଉଛି। ଏଣୁ ସ୍ୱାଧୀନତା ଦିବସ ଅବସରରେ ରାଜଧାନୀ ଦିଲ୍ଲୀ ଉପରେ କୌଣସି ପ୍ରକାର ପାରାଗ୍ଲାଇଡର, ହ୍ୟାଙ୍ଗ ଗ୍ଲାଇ଼ର ଅଥବା ଗ୍ୟାସ ବେଲୁନ ନ ଉଡାଇବା ଲାଗି କଡ଼ା ନିର୍ଦ୍ଦେଶ ଜାରୀ ହୋଇଛି। ଗତ ସପ୍ତାହରେ ମିଳିଥିବା ଗୁଇନ୍ଦା ରିପୋର୍ଟ ଆଧାରରେ ରୋହିଙ୍ଗ୍ୟାଙ୍କ ଉପରେ ନଜର ରଖାଯାଇଥିବା ସ୍ୱତନ୍ତ୍ର କମିଶନର ଆଇନଶୃଙ୍ଖଳା ଦୀପେନ୍ଦ୍ର ପାଠକ କହିଛନ୍ତି।

ଗୁଇନ୍ଦା ରିପୋର୍ଟ ଅନୁସାରେ ଜାତୀୟ ଦିବସ ସମାରୋହକୁ ରାଜଧାନୀରେ ବାଧିତ କରିବା ପାଇଁ ଲସ୍କର-ଏ-ତୌୟବା, ଜୈସ୍ ଓ ଇସ୍ଲାମିକ ଷ୍ଟେଟ୍ ଦ୍ୱାରା ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଛି। ୧୦ ପୃଷ୍ଠାର ଏହି ରିପୋର୍ଟରେ ଗତମାସରେ ଜାପାନରେ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ସାଙ୍ଗକୁ ଉଦୟପୁର ଓ ଅମରାବତୀରେ ଘଟିଥିବା ଘଟଣାର ମଧ୍ୟ ଉଲ୍ଲେଖ ରହିଛି। ଏହିସବୁ କଥାକୁ ଧ୍ୟାନରେ ରଖି ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।

Related Articles

Back to top button