ହୃଦଘାତରେ ଆନ୍ଦୋଳନରତ କୃଷକଙ୍କର ଗଲା ଜୀବନ

ଏମଏସପି ବୃଦ୍ଧି ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଶମ୍ଭୁ ବର୍ଡରରେ କୃଷକଙ୍କ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଜଣେ କୃଷକଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କୃଷକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ୬୫ ବର୍ଷୀୟ ଜ୍ଞାନ ସିଂ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଶମ୍ଭୁ ବର୍ଡରରେ ପହଞ୍ଚିଥିଲେ । ଗୁରୁବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ଞାନଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରୁ ମୃତଦେହକୁ ଧାରଣାସ୍ଥଳକୁ ଅଣାଯିବ । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଚାଷୀଙ୍କର ଆଲୋଚନା ହୋଇଥିଲା । କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା । ତେବେ ରବିବାର ପର୍ଯ୍ୟନ୍ତ କଷକ ମାନେ ଶମ୍ଭୁ ବର୍ଡରରେ ଡେରା ପକାଇ ରହିବେ । କାରଣ ରବିବାର ଚଣ୍ଡିଗଡରେ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ରହିଛି ।

ଏହାପୂର୍ବରୁ କୃଷକ ଆନ୍ଦୋଳନର ପ୍ରଥମ ୨ ଦିନରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଚାଷୀ । ଏହି ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଚାଷୀ ଓ ପୋଲିସକର୍ମୀ ରହିଥିଲେ । ଅନ୍ୟପଟେ ସାରା ଭାରତରେ ପୂର୍ବ ଘୋଷଣା ଅନୁଯାୟୀ ଚାଷୀ ଭାରତ ବନ୍ଦ ପାଳନ କରୁଛନ୍ତି । ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ବନ୍ଦ ପାଳନ କରି ବିଭିନ୍ନ ଫସଲର ଏମଏସପି ବୃଦ୍ଧିକୁ ଆଇନଗତ ସ୍ୱୀକୃତି ଦେବାକୁ ଦାବି କରିଛନ୍ତି କୃଷକ ସଂଗଠନ । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହେବ । ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି । ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀ ମାନେ ଚକାଜାମ କରିବାକୁ ଚେତାବନୀ ଦେଇଛନ୍ତି ।

Related Articles

Back to top button