
ପୂର୍ବ ପରି ଏଥର ବି ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି
ଲଗାତାର ସପ୍ତମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ପୂର୍ବ ପରି ଏଥର ବି ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଏଥର ବି ରେପୋ ରେଟରେ ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ(ଆରବିଆଇ)କୌଣସି ପରିବର୍ତ୍ତନ କରିନାହିଁ।
ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରା ନୀତି ବା ଆରବିଆଇ କ୍ରେଡିଟ୍ ପଲିସି ଘୋଷଣା କରିଛି। ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି ର ଛଅ ଜଣିଆ ସଦସ୍ୟ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି।
୨୦୨୩ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ହାର ପୂର୍ବ ପରି ସମାନ ରହିଛି।
ଦେଶରେ ବର୍ତ୍ତମାନ ସାଧାରଣ ନିର୍ବାଚନ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ମନିଟାରୀ ପଲିସି କମିଟିରେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କନଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ ବା ୪.୫ ପ୍ରତିଶତରେ ରହିବ ବୋଲି ରିଜର୍ଭ ବ୍ଯାଙ୍କ ଆକଳନ କରିଛି। ଆସନ୍ତା ମୁଦ୍ରାନୀତି ସମୀକ୍ଷା ବୈଠକ ଜୁନ୍ ୫ରୁ ୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।