ଭକ୍ତଙ୍କୁ ୪୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ତିରୁମଲା ତିରୁପତି ଦେବସ୍ଥାନମ

ଚେନ୍ନାଇ ୪।୯: ସଲେମ କଞ୍ଜ୍ୟୁମର କୋର୍ଟ ତିରୁମଲା ତିରୁପତି ଦେବସ୍ଥାନଙ୍କ ବିରୋଧରେ ରୁଜୁ ଏକ ମାମଲାରେ ଜଣେ ଭକ୍ତଙ୍କୁ ୪୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି। ମନ୍ଦିରର ଏକ ସେବାରେ ଭାଗନେବା ପାଇଁ ଆବେଦନକାରୀ ଟଙ୍କା ପୈଠ କରି ଅପେକ୍ଷାରେ ଥିବା ବେଳେ ଅନୁମତି ମିଳିବା ବେଳକୁ କରୋନା ଏଥିରେ ବାଧକ ହୋଇଥିଲା। ତେବେ କର୍ତ୍ତୃପକ୍ଷ ପରେ ଭକ୍ତ ସେବାରେ କିପରି ସାମିଲ ହେବେ ସେ ବାବଦେ ବ୍ୟବସ୍ଥା କରି ନଥିବା ଅଭିଯୋଗ ହୋଇଥିଲା।

ମାମଲାରେ ପ୍ରକାଶ ଯେ ତାମିଲନାଡୁ ସଲେମ ଜିଲ୍ଲା ଅଲଗାପୁରମର ମୂଳ ବାସିନ୍ଦା ହରି ଭାସ୍କର ୨୭ ଜୁନ ୨୦୦୬ରେ ତିରୁମାଲା ଶ୍ରୀଭେଙ୍କଟେଶ୍ୱର ସ୍ୱାମୀ ଦେବସ୍ଥାନମରେ ଦୁଇଜଣଙ୍କ ନିମନ୍ତେ ‘ମେଲଚଟ ବସ୍ତ୍ରମ’ ସେବାରେ ଯୋଗ ଦେବା ପାଇଁ ୧୨ ହଜାର ୨୫୦ ଟଙ୍କା ଅନଲାଇନ ପୈଠ କରିଥିଲେ। ସେହି ଅନୁସାରେ ୧୦ ଜୁଲାଇ ୨୦୨୦ରେ ସେବାରେ ଭାଗ ନେବା ପାଇଁ ତାଙ୍କୁ ଅନୁମତି ମିଳିଥିଲା।

ତେବେ କରୋନା ଯୋଗୁ ୨୦୨୦ରେ ଏହି ସେବା ଉପରେ କଟକଣା ଜାରି ହୋଇଥିଲା। ଏଣୁ ତିରୁପତି ତିରୁମାଲା ଦେବସ୍ଥାନମ ଅଧିକାରୀମାନେ ହରି ଭାସ୍କରଙ୍କୁ ଏକ ଅନ୍ୟ ଦର୍ଶନ ନିମନ୍ତେ ଅବସର ପ୍ରଦାନ କରିଥିଲେ। ତେବେ ହରି ଭାସ୍କର କେବଳ ମେଲଚଟ ବସ୍ତ୍ରମରେ ଭାଗନେବେ ବୋଲି କହିଥିଲେ। ହେଲେ ଅଧିକାରୀମାନେ ମନା କରିଦେବାରୁ ହରିଭାସ୍କର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ନ୍ୟାୟାଳୟ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ବର୍ଷକ ମଧ୍ୟରେ ମେଲଚଟ ବସ୍ତ୍ରମ ସେବାରେ ଭାଗନେବା ପାଇଁ  ଅବସର ଦିଆଯିବା  କଥା । ଯଦି ଏପରି ହୋଇ ପାରୁନଥାଏ ତେବେ ତାଙ୍କ ଟଙ୍କା ଫେରାଇ ଦେବା କଥା। ତେବେ ଏହା ନକରି ସିଧା ଶଳଖ ମନା କରିଦିଆଯିବା ଉଚିତ ହୋଇନଥିବା ଉପଭୋକ୍ତା କୋର୍ଟ କହିଛନ୍ତି। ଏଣୁ ତିରୁମାଲା ତିରୁପତି ଦେବସ୍ଥାନମଙ୍କୁ ଭକ୍ତଙ୍କୁ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button