କାନପୁରରେ ବଡ ସଡକ ଦୁର୍ଘଟଣା: ପୋଖରୀକୁ ଖସି ପଡିଲା ଟ୍ରାକ୍ଟର, ୨୫ଜଣଙ୍କ ମୃତ୍ୟୁ

କାନପୁର: ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ୪୦ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ପୋଖରୀରେ ଓଲଟି ପଡିଛି। ସମସ୍ତ ଶ୍ରଦ୍ଧାଳୁ ପାଣିରେ ବୁଡି ଯାଇଛନ୍ତି। କିଛି ଲୋକ କୌଣସି ପ୍ରକାରରେ ପୋଖରୀରୁ ବାହାରି ପାରିଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା କାନପୁର ଆଉଟରର ସାଢା ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, ସାଢ ଥାନା ଅନ୍ତର୍ଗତ କୋରଥା ଗାଁର ପ୍ରାୟ ୪୦ ଶ୍ରଦ୍ଧାଳୁ ଫତେହୁରରେ ଚନ୍ଦ୍ରିକା ଦେବୀ ମନ୍ଦିରରେ ଦର୍ଶନ କରି ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ଏହି ସମୟରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ସାଢ ଏବଂ ଗମ୍ଭୀରପୁର ଗାଁ ମଧ୍ୟରେ ରାସ୍ତା ପାର୍ଶ୍ଵରେ ଥିବା ପୋଖରୀକୁ ଓଲଟି ପଡିଛି। ଟ୍ରାକ୍ଟର ଓଲଟିବା ମାତ୍ରେ ଶ୍ରଦ୍ଧାଳୁଙ୍କ ଚିତ୍କାର କାନ୍ଦ ବୋବାଳିରେ ପୂରା ଅଞ୍ଚଳ ଫାଟି ପଡିଥିଲା। ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ମହିଳା ଏବଂ ୧୧ ପିଲା ସାମିଲ୍। ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପୋଲିସ୍ ଦୁର୍ଘଟଣାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି।

ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିଜନ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଗୁରୁତର ଆହତଙ୍କ ପ୍ରତି ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button